କର୍ମଚାରୀଙ୍କ ପାଇଁ ଭଲ ଖବର, ଏବେ ଡେରି ହେବନି ପେନସନ୍, ଡିଜିଲକର୍‌ରେ ମିଳିଯିବ ଇଲେକ୍ଟ୍ରୋନିକ୍ ପେନସନ୍ ପେମେଣ୍ଟ୍ ଅର୍ଡର୍

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮:  କେନ୍ଦ୍ରୀୟ ସିଭିଲ୍ ପେନସନର୍ସ ଏବେ ପେନସନ୍ ପେମେଣ୍ଟ୍ ଅର୍ଡର ବା ପିପିଓକୁ ଡିଜିଲକରରେ ସୁରକ୍ଷିତ ରଖିପାରିବେ । ଏନେଇ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ପେନସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଜାଣିବାକୁ ପାଇଛି ଯେ, ଅନେକ ହିତାଧିକାରୀ ନିଜର ପେନସନ ସମ୍ବନ୍ଧୀୟ ଦସ୍ତାବିଜକୁ ହଜାଇ ଦେଇଛନ୍ତି । ଏହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ପେନସନ୍ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ବିନା ପିପିଓରେ ଅବସର ଗ୍ରହଣ କରିବା ପରେ ଅନେକ କର୍ମଚାରୀ ହଇରାଣ ହରକତର ସାମ୍ନା କରୁଛନ୍ତି । ଏପରିକି ନିକଟରେ ଯେଉଁମାନେ ଅବସର ଗ୍ରହଣ କରିଛନ୍ତି କରୋନା ଭାଇରସ ପାଇଁ ପିପିଓ ଦସ୍ତାବିଜ ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବୟାନରେ ଆହୁରି କୁହାଯାଇଛି ଯେ, କେନ୍ଦ୍ର ସରକାର ନାଗରିକ ସେବାରୁ ସେବାନିବୃତ୍ତ ହୋଇଥିବା କର୍ମଚାରୀଙ୍କ ଜୀବନକୁ ସରଳ କରିବା ପାଇଁ ସାର୍ବଜନୀନ ବିତ୍ତ ପ୍ରବନ୍ଧନ ପ୍ରଣାଳୀ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି । ଏହାସହ ଇଲେକ୍ଟ୍ରୋନିକ୍ ପେନସନ୍ ପେମେଣ୍ଟ ଅର୍ଡରକୁ ଡିଜିଲକର ସହ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସୁବିଧା ଦ୍ୱାରା ପେନସନଭୋଗୀ ଡିଜିଲକରରେ ପିପିଓକୁ ଷ୍ଟୋର୍ କରିପାରିବେ । ଯେତେବେଳେ ଚାହିଁବେ ପିପିଓ ଆକାଉଣ୍ଟରୁ ନିଜର ପିପିଓର କପିର ପ୍ରିଣ୍ଟଆଉଟ୍ ମଧ୍ୟ ବାହାର କରିପାରିବେ ।  ଏପରି ଭାବେ ପିପିଓ ସ୍ଥାୟୀ ଭାବେ ଡିଜିଲକରରେ ରହିବ । ନୂଆ ପେନସନ୍ ଭୋଗୀଙ୍କୁ ପିପିଓ ହାସଲ କରିବାରେ ଅସୁବିଧା ହେବ ନାହିଁ । ଏପରିକି ଫିଜିକାଲ କପି ଦେବାର ସମସ୍ୟାରୁ ମୁକ୍ତି ମିଳିବ ।

ସୂଚନାଯୋଗ୍ୟ, ଡିଜିଲକର୍ ଏକ ଡିଜିଟାଲ୍ ଡକ୍ୟୁମେଣ୍ଟ ଓ୍ୱାଲେଟ୍ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଷ୍ଟୋର କରିହେବ । ଯାହାକୁ ସଦାବେଳେ ଆକସେସ୍ କରାଯାଇପାରିବ । ଇ-ପିପିଓକୁ ଭବିଷ୍ୟତ ସଫ୍ଟଓୟାର ସହ କ୍ରିଏଟ୍ କରାଯାଇଛି । ଭବିଷ୍ୟତ ସଫ୍ଟଓୟାର ପେନସନର୍ସ ପାଇଁ ପେନସନ୍ ପ୍ରୋସେସିଂ ଆରମ୍ଭ ହେବାରୁ ପ୍ରକ୍ରିୟା ଶେଷ ହେବା ଯାଏଁ ଏହା ହେଉଛି ସିଙ୍ଗିଲ ଓ୍ୱେଣ୍ଡୋ ପ୍ଲାଟଫର୍ମ । ଏହି ସଫ୍ଟଓୟାର ଏବେ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ସେମାନଙ୍କ ଡିଜିଲକରର ଭବିଷ୍ୟତ ଆକାଉଣ୍ଟ ସହ ଲିଙ୍କ୍ କରିବା ଓ ଇପିପିଓ ହାସଲର କରିବାର ବିକଳ୍ପ ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.