ହୁହୁ ହୋଇ ବଢୁଛି ସୁନାଦର, କିଛି ଦିନ ଭିତରେ ୧୦ଗ୍ରାମର ଦାମ ଛୁଇଁବ ୪୦ ହଜାର ବୋଲି କହିଲେଣି ଦୋକାନୀ
17/07/2019 at 5:51 PM

ଭୁବନେଶ୍ବର୧୭|୭: ସୁନା ଭରି ୪୦ ହଜାର ଟଙ୍କା ଛୁଇଁବ । ଆମେ କହୁନୁ , କି କହୁ ନାହାନ୍ତି ସାଧାରଣ ଲୋକେ, ଏପରି ଆକଳନ କରୁଛନ୍ତି ସୁନା ଦେ।କାନୀ । ଯଦିଓ ଏହାପଛରେ ଅନେକ କାରଣ ରହିଛି ତେବେ ଅନ୍ତର୍ଜାତୀୟ ବଜାରରେ ଡ଼ଲାର ମୂଲ୍ୟ ହ୍ରାସ ସବୁଠୁ ବଡ଼ କାରଣ କୁହାଯାଇପାରେ । କିନ୍ତୁ ୟୋଲୋ ମେଟାଲର ଏପରି ଦର ବୃଦ୍ଧି ଗହଣାପ୍ରେମୀଙ୍କୁ ନିରାଶ କରିବା ନିଶ୍ଚିତ ।

ହୁ ହୁ ହୋଇ ବଢୁଛି ସୁନା ।ବଜେଟ ପ୍ରଭାବରେ ବଢିଲା ଯେ, ଏବେ ପ୍ରତିଦିନ ଆହୁରି ବଢି ବଢି ଚାଲିଛି। ଏବେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ କୁ ୩୪ ହଜାର ୬୮୦ ଟଙ୍କା । ଭୁବନେଶ୍ବର ସୁନା ବଜାର ଉପରେ ନଜର ପକାଇଲେ କ୍ରମାଗତ ଦର ବୃଦ୍ଧି ସ୍ପଷ୍ଟ । ଜୁଲାଇ ୬ ତାରିଖରେ ୨୨ କ୍ୟାରେଟ୍ ସୁନା ଦର ଥିଲା ଦଶ ଗ୍ରାମକୁ ୩୨ ହଜାର ୮୧୦ ଟଙ୍କା । ସେହିଦିନ ୨୪ କ୍ୟାରେଟ୍ ସୁନାର ଦର ଥିଲା ୩୫ ହଜାର ୭୯୦ ଟଙ୍କା । କିନ୍ତୁ ଏବେ ତାହା୩୬ ହଜାର ୯୦ ଟଙ୍କାରେ ପହଞ୍ଚିଛି । ତେବେ ଜୁନ୍ ୧ ରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ର ଦାମ ୩୦ ହଜାର ୭୯୦ ଟଙ୍କା ଥିଲା । ୨୪ କ୍ୟାରେଟ୍ ସୁନା ଭରିକୁ ଥିଲା ୩୩ ହଜାର ୫୮୦ ଟଙ୍କା । ଏପରି ଦରବୃଦ୍ଧିରେ ଗ୍ରାହକଙ୍କ ଠାରୁ ଦୋକାନୀ ବେଶି ବିବ୍ରତ । କାରଣ ଦରବୃଦ୍ଧିରୁ ବେପାର ପୁରା କମିଛି । ଦେ।କାନୀଙ୍କ ମତରେ ଆଉ କିଛି ଦିନ ଭିତରେ ଦଶ ଗ୍ରାମ ସୁନା ଦର ୪୦ ହଜାର ଟଙ୍କା ଛୁଇଁବା ସମ୍ଭାବନା ବେଶି ।

ସୁନା ଦର ବଢିବାର ଅନେକ କାରଣ ରହିଛି । ତେବେ ପ୍ରମୂଖ କାରଣ ହେଲା ଅନ୍ତର୍ଜାତୀୟ ବଜାରରେ ଟଙ୍କା ତୁଳନାରେ ଡ଼ଲାରର ମୂଲ୍ୟ ବଢିଗଲେ ସୁନା ଦର କମିଥାଏ ଏବଂ ସେହିପରି ଡ଼ଲାର ଦୁର୍ବଳ ହେଲେ ସୁନା ରେଟ୍ ବଢିଥାଏ । ଏହା ବ୍ୟତୀତ ଆମେରିକା- ଚୀନ ବାଣିଜ୍ୟ ଯୁଦ୍ଧରୁ ସୁନା ଦର ପ୍ରଭାବିତ ହେଉଛି । କାରଣ ସୁନାରେ ଇନଭେଷ୍ଟମେଣ୍ଟ ବଢୁଛି । ତାହା ସୁନାଦର ବଢାଉଛି ।
