ବଢିଲା ସୁନା ଦର : ଦିଲ୍ଲୀରେ ୫୦ ହଜାର ଟଙ୍କା ପାର୍‌, ଜାଣନ୍ତୁ ଓଡିଶାରେ କେତେ ରହିଛି ଦାମ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି ସୁନାର ମୂଲ୍ୟ । ଏପ୍ରିଲ ମାସରେ ଲଗାତାର ଭାବେ ସୁନା ଏବଂ ରୁପା ଦାମ ବୃଦ୍ଧି ପାଇବାରେ ଲାଗିଛି । ବିବାହ ଉତ୍ସବ ଆରମ୍ଭ ହୋଇଯାଇଥିବାରୁ ସୁନା ଦାମ ବୃଦ୍ଧି ପାଉଛି । ସୁନା ଦାମ ବୃଦ୍ଧିର ଆଉ ଏକ କାରଣ ହେଉଛି କରୋନା ମାଡ । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡିଛି ।

ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପ୍ରତି ୫୦,୬୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପ୍ରତି ରହିଛି ୪୬,୪୦୦ ଟଙ୍କା । ଏହା ପୂର୍ବରୁ ମାର୍ଚ୍ଚ ମାସରେ ୨୨ କ୍ୟାରେଟ୍‌ ସୁନାର ଦାମ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୪ ହଜାର ଟଙ୍କାକୁ ଖସିଆସିଥିଲା ।

ସେହିଭଳି ଓଡିଶାରେ ମଙ୍ଗଳବାର ସୁନାର ଦାମ ୧୦ ଗ୍ରାମ ପ୍ରତି ୪୪,୧୫୦ ଟଙ୍କା ରହିଛି । ସୋମବାର ତୁଳନାରେ ମଙ୍ଗଳବାର ସୁନା ୧୦୦ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୁପାର ଦାମ କିଲୋ ପିଛା ୭୩,୬୦୦ ଟଙ୍କା ରହିଛି । ସୋମବାର ରୁପାର ଦାମ ଥିଲା ୭୪,୨୦୦ ଟଙ୍କା । ଅର୍ଥାତ ସୋମବାର ତୁଳନାର ଆଜି ରୁପା ୬୦୦ ଟଙ୍କା ଶସ୍ତା ହୋଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ସୁନାର ଦାମ ୧୦ ଗ୍ରାମ ପ୍ରତି ରେକର୍ଡ ୫୬,୨୦୦ ଟଙ୍କା ରହିଥିଲା । କିନ୍ତୁ ଅଗଷ୍ଟ ମାସ ପରେ କ୍ରମେ ସୁନା ଏବଂ ରୁପା ଦାମ ହ୍ରାସ ପାଇବାକୁ ଲାଗିଥିଲା । ଜାନୁଆରୀ ୨୦୨୦ରେ ସୁନା ଦାମ ୪୦ ହଜାର ଟଙ୍କା ରହିଥିଲା । କିନ୍ତୁ ଅଗଷ୍ଟ ମାସରେ ଦାମ ବୃଦ୍ଧି ପାଇ ୫୬ ହଜାର ପାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.