କୋଭିଡ୍ ପ୍ରଭାବ, ବଢୁଛି ସୁନା: ରେକର୍ଡ କଲାଣି ସୁନା ଦାମ୍, କାଲି ଛୁଇଁପାରେ ୫୦ ହଜାର

Published By : Prameya-News7 Bureau | June 24, 2020 IST

ମୁମ୍ଵାଇ ୨୪।୦୬: କରୋନା ସଙ୍କଟ କାରଣରୁ ଘୋଷିତ ଲକ୍‌ଡାଉନ୍‌ କିମ୍ବା ଏବେ ଜାରି ଅନଲକ୍‌-୧ ମଧ୍ୟରେ ସୁନା ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ଗହଣା ଦର ଏବେ ଆକାଶଛୁଆଁ ରହିଛି। ସୁନାର ଦାମ ଏତେ ବଢିଛି ଯେ, ଏହା ୧୦ ଗ୍ରାମ ପିଛା ୫୦  ହଜାର ଟଙ୍କା ଛୁଇଁବାକୁ ଯାଉଛି। ବଜାରର ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ଗୁରୁବାର ସୁନା ଦର ୫୦ ହଜାର ପାର କରିବାର ପୂରା ସମ୍ଭାବନା ରହିଛି।  ବୁଧବାର ସୁନା ଦର ୧୦ ଗ୍ରାମ ପିଛା ୪୮ ହଜାର ୩୩୩ ରହିଛି। କେବଳ ଏତିକି ନୁହେଁ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ ବୋଲି  ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ମଙ୍ଗଳବାର ଦିଲ୍ଲୀରେ ୯୯.୯ ପ୍ରତିଶତ ସୁଦ୍ଧତା ୧୦ ଗ୍ରାମ ସୁନାର ମୂଲ୍ୟ ୪୮,୯୮୮ ଟଙ୍କାରୁ ହ୍ରାସ ପାଇ ୪୮,୯୩୧ ଟଙ୍କା ରହିଥିଲା। ଏହି ସମୟରେ ସୁନା ଦର ୫୭ ଟଙ୍କା ହ୍ରାସ ଘଟିଥିଲା। ଏହା ପୂର୍ବରୁ ସୋମବାର ସୁନା ୧୦ ଗ୍ରାମ ପିଛା ୮୫ ଟଙ୍କା ଶସ୍ତା ହୋଇଥିଲା ଏବଂ ରୂପା ମଧ୍ୟ କିଲୋଗ୍ରାମ ପିଛା ୧୪୪ ଟଙ୍କା ଶସ୍ତା ହୋଇଥିଲା। ହେଲେ ବୁଧବାର ସୁନା ଦର ଅହେତୁକ ବୃଦ୍ଧି ଘଟିଛି। ଯାହା ଗୁରୁବାର ସୁଦ୍ଧା ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କା ଛୁଇଁବାର ପୂରା ସମ୍ଭାବନା ରହିଛି।

କଣ ପାଇଁ ମହଙ୍ଗା ହେଉଛି ସୁନା

ପୂରା ବିଶ୍ଵରେ କରୋନା ମହାମାରୀ କାରଣରୁ ଭୁଶୁଡି ପଡିଥିବା ଅର୍ଥବ୍ୟବସ୍ଥାର ଗୁରୁତର ପ୍ରଭାବ ବଜାରରେ ଉପରେ ପଡିଛି। ତେଣୁ ମହାମାରୀ ସମୟରେ ସୁନାର ମୂଲ୍ୟ କ୍ରମାଗତ ବଢିବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି ଯେ, ଏକ ତୁଳା ସୁନାର ମୂଲ୍ୟ ୪୯,୯୦୦ ଟଙ୍କାରେ ପହଞ୍ଚିଛି। ଏବେ ସୁନାର ଦାମ ଇତିହାସରେ ସବୁଠୁ ଉଚ୍ଚସ୍ତରରେ ରହିଛି।

ବ୍ୟବସାୟୀଙ୍କ ଅନୁଯାୟୀ କରୋନା ମହାମାରୀ କାରଣରୁ ହିଁ ସୁନା ଦର ବଢି ବଢି ଚାଲିଛି। ଭାରତ-ଚୀନ ବିବାଦ ଓ ଆମେରିକୀ ଫେଡେରାଲ ରିଜର୍ଭ ବ୍ୟାଙ୍କ ଦ୍ଵାରା ୨୦୨୨ ସୁଦ୍ଧା ସୁଧ ହାର ନବଢାଇବାକୁ ନିଷ୍ପତ୍ତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.