ଖୁସି ଖବର: ଫେବୃଆରୀ ସୁଦ୍ଧା ୫୦୦୦ ଟଙ୍କା ଶସ୍ତା ହୋଇପାରେ ସୁନା ଦାମ !
23/11/2020 at 4:48 PM

ନୂଆଦିଲ୍ଲୀ ୨୩।୧୧: ଚଳିତ ବର୍ଷ ମାର୍ଚ୍ଚରୁ ସମଗ୍ର ଦୁନିଆରେ କରୋନା ମହାମାରୀ କାରଣରୁ ଭୟର ମାହୋଲ ରହିଛି। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସୁନା ହିଁ ସୁରକ୍ଷିତ ନିବେଶର ସବୁଠୁ ବଡ ମାଧ୍ୟମ ପାଲଟିଛି। ସଙ୍କଟ କିମ୍ବା ଆର୍ଥିକ ମାନ୍ଦାବସ୍ଥା ବେଳେ ସୁନା ନିବେଶକୁ ସବୁଠୁ ଭଲ ବିକଳ୍ପ କୁହାଯାଏ। ହେଲେ ଏବେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଆମେରିକା ଡଲାର ଓ କୋଭିଡ୍-୧୯ ଭ୍ୟାକସିନର ଖବର ମଧ୍ୟରେ ସୁନା-ରୂପା ଶସ୍ତା ହୋଇଛି। ଗୋଲ୍ଡ ଇଟିଏଫରେ ମଧ୍ୟ ନିବେଶକ ବିଶେଷ ରୁଚି ଦେଖାଉ ନାହାନ୍ତି। ଅଗଷ୍ଟ ପରଠୁ ଏ ପର୍ଯ୍ୟନ୍ତ ସୁନାର ଦାମ ୧୦ ଗ୍ରାମ ପିଛା ପ୍ରାୟ ୬୦୦୦ ଟଙ୍କା ଶସ୍ତା ହୋଇ ସାରିଛି।

ଏବେ କରୋନା ଭ୍ୟାକସିନ ଶୀଘ୍ର ଆସିବାର ଖବର ମିଳିବା ପରେ ୧୦ ଗ୍ରାମ ପିଛା ସୁନା ଦାମ ୧୦୦୦ ଟଙ୍କା ଶସ୍ତା ହୋଇ ସାରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ମୂଲ୍ୟରେ ଆଗାମୀ ସମୟରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ନୂତନ ବର୍ଷ ପର୍ଯ୍ୟନ୍ତ ସୁନାର ଦାମ ୧୦ ଗ୍ରାମ ପିଛା ୫୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ।
ଏସକୋର୍ଟ ସିକ୍ୟୁରିଟିର ରିସର୍ଚ୍ଚ ହେଡ୍ ଆସିଫ ଇକବାଲ କହିଛନ୍ତି, କରୋନା ଭ୍ୟାକସିନ ସମ୍ବନ୍ଧରେ ସକରାତ୍ମକ ଖବର ପରେ ସୁନା-ରୂପା ଦାମରେ କ୍ରମାଗତ ହ୍ରାସ ପାଇ ଚାଲିଛି। ସେ କହିଛନ୍ତି, ଆଗାମୀ ସମୟରେ ମଧ୍ୟ ସୁନା ଦାମରେ ଆହୁରି ହ୍ରାସ ଘଟିପାରେ। ଯଦି ନୂତନ ବର୍ଷ ସୁନ୍ଧା ଭ୍ୟାକସିନ ଲଞ୍ଚ ହୋଇଯାଏ ତେବେ ସୁନା ଦର ୪୫୦୦୦ ଟଙ୍କା ପର୍ଯ୍ୟନ୍ତ ଖସିପାରେ।