ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୮୦୦୦ ଟଙ୍କା ଶସ୍ତା ହେଲା ସୁନା
26/11/2020 at 5:05 PM

ନୂଆଦିଲ୍ଲୀ ୨୬/୧୧: ଘରେ ଉତ୍ସବ ପାଖେଇ ଆସିଲେ ଲୋକେ ସୁନା ଦାମ ପଚାରନ୍ତି। ଦାମ କମ ଥିଲେ ଲୋକେ ଅବିଳମ୍ବେ ସୁନା ଦୋକାନରେ ହାଜର ହୋଇଯାଆନ୍ତି। କିଛି ନା କିଛି ସୁନା ଅଳଙ୍କାର କିଣି ଆଣନ୍ତି। ଏବେ ଗ୍ରାହଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ସୁନା ଦାମ କମିଛି। ଗତ ଗୋଟିଏ ସପ୍ତାହ ହେଲା ସୁନା ଦାମ ୨.୫ ପ୍ରତିଶତ ଓ ରୂପା ୩.୫ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି। ସୁନା ରେକର୍ଡ ସ୍ତର ତୁଳନାରେ ପାଖାପାଖି ୮୦୦୦ ଟଙ୍କା ଶସ୍ତା ହୋଇଛି।
୭ ଅଗଷ୍ଟ ୨୦୨୦ରେ ସୁନା ୫୬୧୯୧ ଟଙ୍କା ପ୍ରତି ୧୦ ଗ୍ରାମ ଥିବା ବେଳେ ୨୫ ଅଗଷ୍ଟରେ କମି ୪୮,୫୦୦ ଟଙ୍କାକୁ ଖସିଆସିଥିଲା। ଏବେ ବି ସୁନା ଦାମ ଖସିଥିବା ଜଣାପଡ଼ିଛି। ବୁଲିୟନ ଓ୍ବେବ୍ସାଇଟ୍ରୁ ମିଳିଥିବା ରିପୋର୍ଟ ଅନୁସାରେ ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୪୭୦୫ ଟଙ୍କା ଥିବା ବେଳେ ଗତକାଲି ଏହାର ଦାମ ୪୪୮୨୪ ଥିଲା। ଅର୍ଥାତ ଆଜି ୧୧୯ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ଉପରେ ୧୩୦ ଟଙ୍କା ହ୍ରାସ ପାଇଛି।
ଦିଲ୍ଲୀ ବ୍ୟତୀତ ଅନ୍ୟ ମେଟ୍ରୋ ସହରରେ ସୁନା ମୂଲ୍ୟ କମିଛି। ବେଙ୍ଗାଲୁରୁରେ ସୁନା ଦାମ ୪୬୨୦୦ ଟଙ୍କା ଥିବା ବେଳେ ଚେନ୍ନାଇରେ ୪୬୪୦୦ ଟଙ୍କା ରହିଛି। କୋଲକାତାରେ ୫୦୦୭୦ ଟଙ୍କା ମୁମ୍ବାଇରେ ସୁନା ଦାମ ୪୯୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ସେପଟେ ରୂପା ଦାମ ମଧ୍ୟ ସ୍ଥିର ରହିଛି । ମିଳିଥିବା ସୂଚନା ଅନୁସାରେ ଆଜି ୧ କେ.ଜି. ରୂପାର ଦାମ ୬୦,୦୫୦ ଟଙ୍କା ରହିଛି।