ନୂଆବର୍ଷରୁ ନୂଆ ଦର: ୨୦୨୧ରେ ସବୁ ରେକର୍ଡ ଭାଙ୍ଗିବ ସୁନା ଦାମ !

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଳୀ ୨୭/୧୨:  ଭାରତୀୟ ବଜାରରେ ସୁନା ଦର ବଢ଼ୁଛି ପୁଣି କେତେବେଳେ ଖସିଆସୁଛି। କିନ୍ତୁ ନୂଆବର୍ଷରେ ସୁନା କିଣିବାକୁ ଲକ୍ଷ ରଖିଥିବା ଗ୍ରାହକଙ୍କ ପାଇଁ ଆସିଛି ଦୁଃଖ ଖବର। ୨୦୨୧ରେ ସୁନା ଦର ଆକଶଛୁଆଁ ହୋଇପାରେ। ଏବେ ୧୦ ଗ୍ରାମ ସୁନା ପ୍ରତି ଦାମ ୫୦ ହଜାର ଟଙ୍କା ଥିବା ବେଳେ ୨୦୨୧ରେ ଏହା ୬୩୦୦୦ରେ ପହଞ୍ଚିପାରେ ବୋଲି ସୂଚନା ମିଳିଛି।

ସୁନା ଏବେ ଉଚ୍ଚତମ ସ୍ତରରୁ ପାଖାପାଖି ୬୦୦୦ ଟଙ୍କା ଶସ୍ତା ଥିବା ବେଳେ ଆସନ୍ତାବର୍ଷରୁ ସବୁ ସୀମା ଟପିବାକୁ ଯାଉଛି। କିନ୍ତୁ ୨୦୨୧ରେ ଡଲାର କମଜୋର ପଡ଼ିବାର ଆଶଙ୍କା ଥିବାରୁ ସୁନା ଦର ବଢ଼ିପାରେ ବୋଲି କୁହାଯାଉଛି। ୨୦୨୦ରେ କରୋନା ମହାମାରୀ ପାଇଁ ଆର୍ଥିକ ଅସମାନତା କାରଣରୁ ସୁନା ଦର କେତେବେଳେ ବଢ଼ୁଥିଲା ତ କେତେବେଳେ ଖସୁଥିଲା। ଚଳିତବର୍ଷ ଅଗଷ୍ଟରେ ପ୍ରଥମ ଥର ସୁନା ଦାମ ୧୦ ଗ୍ରାମ ପ୍ରତି ୫୬,୧୯୧ ଟଙ୍କା ଛୁଇଁଥିଲା।

ଚଳିତ ବର୍ଷ ଆରମ୍ଭରୁ ଗୋଲ୍ଡ ଦର ୩୯,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। କରୋନା ମହାମାରୀ ପାଇଁ ସୁନା ଦାମ ୩୮,୪୦୦ ଟଙ୍କାକୁ ଖସିଆସିଥିଲା। ପରେ ପରେ ଏହି ଦାମ ଧିରେ ଧିରେ ବଢ଼ିବାକୁ ଲାଗିଥିଲା। ଏହା ସହ ସୁନା ଦାମ ଗୋଟିଏ ସମୟରେ ୫୬,୧୯୧ରେ ପହଞ୍ଚିଥିଲା।

ଏଚଡିଏଫ୍‌ସି ସିକ୍ୟୁରିଟିଜ୍‌ର ଜଣେ ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି ୨୦୨୧ରେ ସୁନା ଦାମ ବୃଦ୍ଧି ହୋଇପାରେ। ଭାରତରେ ଏମସିଏକ୍ସରେ ଗୋଲ୍ଡ ମୂଲ୍ୟ ୫୭ ହଜାର ଓ ୬୩ ହଜାର ପ୍ରତି ୧୦ ଗ୍ରାମ ରହିପା​‌ରେ ବୋଲି ସେ କହିଛନ୍ତି। ଅନ୍ୟପଟେ ଓ୍ବାର୍ଲଡ୍‌ ଗୋଲ୍ଡ କାଉନସିଲ୍‌ର ମ୍ୟାନେଜିଂ ଡିରେକ୍ଟର ସୋମାସୁନ୍ଦରମ ପି ଆର କହିଛନ୍ତି ଭାରତୀୟ ବଜାରରେ ଗ୍ରାହକଙ୍କ ଡିମାଣ୍ଡ କମିଛି। ଭାରତରେ ସେପ୍ଟେମ୍ବର ତ୍ରୈମାସିକ ପର୍ଯ୍ୟନ୍ତ ସୁନା ଡିମାଣ୍ଡ ୪୯ ପ୍ରତିଶତ କମିଛି ବୋଲି ସେ କହିଛନ୍ତି। ଏହା ସହ ଆଗାମୀ ସମୟରେ ସୁନାର ଡିମାଣ୍ଡ ବଢ଼ିବାକୁ ଥିବା ବେଳେ ଦରରେ ଆଶାନୁରୂପ ବୃଦ୍ଧି ଦେଖିବାକୁ ମିଳିବ ବୋଲି ସୋମାସୁନ୍ଦରମ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.