ପାକିସ୍ତାନରେ ମହଙ୍ଗା ମାଡ : ଚିନି ଠାରୁ ସୁନା ସବୁ ଦାମ ଚଢା, ସୁନା ୧୦ ଗ୍ରାମକୁ ଲକ୍ଷେ ପାଞ୍ଚ ହଜାର

Published By : Prameya-News7 Bureau | July 02, 2020 IST

କରାଚୀ ୦୨/୦୭ : ପାକିସ୍ତାନରେ ମହଙ୍ଗା ମାଡ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସୌଖିନ ସାମଗ୍ରୀର ଦାମ ମଧ୍ୟ ଆକାଶ ଛୁଇଁଲାନି । ତେବେ ଦେଶର ଅର୍ଥନୀତି ଖରାପ ସ୍ଥିତିରେ ଥିବାବେଳେ ପାକିସ୍ତାନରେ ସୁନା ଦର ସର୍ବକାଳୀନ ରେକର୍ଡ କରିବା ବିସ୍ମୟ ସୃଷ୍ଟି କରିଛି । ପାକିସ୍ତାନ ଖବରକାଗଜ ଡନ ଅନୁଯାୟୀ ଗୁରୁବାର ଦିନ ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୫ ହଜାର ୨୦୦ ଟଙ୍କା ହୋଇଛି । ଜୁନ ୨୪ ତାରିଖରେ ୧୦ ଗ୍ରାମ ସୁନା ୧ ଲକ୍ଷ ୫ ହଜାର ୧୦୦ ଟଙ୍କା ହୋଇଥିଲା । ASSJA ପ୍ରେସିଡେଣ୍ଟ ହାଜି ହାରୁନ ରସିଦ କହିଛନ୍ତି ଯେ ଏବେ ପାକିସ୍ତାନରେ ସୁନା କିଣିବା ସାଧାରଣ ଲୋକଙ୍କ ପାଇଁ କ୍ଷମତା ବାହାରେ । କାରଣ ବର୍ତ୍ତମାନ ଦୈନିକ ଖର୍ଚ୍ଚ ଉଠାଇବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ହୋଇ ପଡିଛି ।

କାହିଁକି ସୁନା ମହଙ୍ଗା ହେଉଛି ଜାଣନ୍ତୁ

କରୋନା ଭାଇରସ ଯୋଗୁଁ ଅନ୍ତରାଷ୍ଟ୍ରୀୟ ସ୍ଥରରେ ବୃଦ୍ଧି ପାଉଥିବା ଦରର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଏହିଭଳି ସ୍ଥିତିରେ ପାକିସ୍ତାନର ଜେମ୍ସ ଆଣ୍ଡ ଜ୍ୱେଲେରୀ ସେକ୍ଟରର ବହୁତ କ୍ଷତି ହୋଇଛି । ଅନ୍ତରାଷ୍ଟ୍ରୀୟ ସ୍ଥରରେ ତାଙ୍କର ପୁରୁଣା ଅର୍ଡରର ପେମେଣ୍ଟ ମଧ୍ୟ ଫସି ରହିଛି ।

ହାଜି ହାରୁନ ରସିଦଙ୍କ କହିବାନୁଯାୟୀ ଘରୋଇ ସୁନା ବଜାର ପାଇଁ ସବୁଠାରୁ ବଡ ଟେନସନ୍ ଫେଡେରଲ ବୋର୍ଡ ଅଫ ରେଭେନ୍ୟୁ ଅର୍ଥାତ  FBR ର ତରଫରୁ ସୁନା ଗହଣା ବିକ୍ରି ଉପରେ ଲଗାଯାଉଥିବା ଭାରି ଟ୍ୟାକ୍ସ । ସେଥିପାଇଁ ସୁନା ଗହଣା ଚାହିଦା ମଧ୍ୟ କମିଯାଇଛି । ଗତ କିଛି ଦିନରେ ଅନେକ ଦୋକାନ ମଧ୍ୟ ବନ୍ଦ ହୋଇଯାଇଛି । ଆଗାମୀ କିଛି ଦିନ ପରେ ସମସ୍ତ ସୁନା ଦୋକାନ ବନ୍ଦ କରି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି ।

ପାକିସ୍ତାନ ଷ୍ଟେଟ ବ୍ୟାଙ୍କ କହିଛି ଯେ ୨୦୨୦ ଆର୍ଥିକ ବର୍ଷରେ ଦେଶ ସବୁଠାରୁ ଅଧିକ ମୁଦ୍ରାସ୍ଫୀତି ଦେଖିଚି ଯେଉଁଥିପାଇଁ ସୁଧ ହାର ବଢାଇବାକୁ ପଡିଛି । ପାକିସ୍ତାନ କେବଳ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ନୁହେଁ ବରଂ ପଡୋଶୀ ଭାରତ, ଚୀନ, ବଙ୍ଗଳାଦେଶ ଓ ନେପାଳର ଅର୍ଥ ବ୍ୟବସ୍ଥା ତୁଳନାରେ ଖରାପ ସ୍ଥିତିରେ ରହିଛି । ସେହି ଦେଶ ମାନଙ୍କ ଠାରୁ ପାକିସ୍ତାନର ମୁଦ୍ରାସ୍ଫିତି ଅଧିକ | ପାକିସ୍ତାନରେ ଅତି ଦରକାରୀ ସାମଗ୍ରୀ ସହ ଖାଦ୍ୟ ସାମଗ୍ରୀର ଦର ଢେର ଅଧିକ ରହିଛି । ମୁଗ ଡାଲି କିଲୋ ପ୍ରତି ୨୨୦ ରୁ ୨୬୦ ଟଙ୍କାରେ ବିକ୍ରି ହେଉଛି । ଚଣା କିଲୋ ପ୍ରତି ୧୬୦ ଟଙ୍କା ହୋଇଛି । ଚିନି କିଲୋ ପ୍ରତି ୭୫ ଟଙ୍କା ହୋଇଛି । ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ ଅନୁସାରେ ମହଙ୍ଗା ସ୍ଥତି ରେକର୍ଡ ସ୍ଥରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.