୨୦ଦିନରେ ୩୫୦୧ ଟଙ୍କା ହ୍ରାସ ପାଇଲା ସୁନା ଦର, ୫୬୮୫ଟଙ୍କା କମିଲା ରୂପା

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭।୧୧: ଗତ ୨୦ ଦିନରେ ସୁନା ଦରରେ ବ୍ୟାପକ ହ୍ରାସ ହୋଇଛି । ଏହି ସମୟ ମଧ୍ୟରେ ସରାଫା ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୩୫୦୧ ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦର ନଭେମ୍ବର ୬ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଲୋପ୍ରତି ୫୬୮୫ ଟଙ୍କା ହ୍ରାସ ପାଇଛି । ଫଳରେ ସୁନା ଦର ୭୨୮୨ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି । ଏହାସହ ରୂପା ଦର କିଲୋ ପ୍ରତି ୧୫୭୪୮ ଟଙ୍କା ହ୍ରାସ ହୋଇଛି ।

ବିଶ୍ବର କେତେକ ଔଷଧ କମ୍ପାନୀ କରୋନା ଟିକା ପ୍ରସ୍ତୁତ କରିବାର ଅତି ନିକଟରେ ପହଞ୍ଚି ସାରିଛନ୍ତି । ଆଗାମୀ ସମୟରେ କରୋନା ଭୟ କମ୍ ହେବା ପରେ ସୁନା ସୁରକ୍ଷିତ ବିନିଯୋଗ ହେବନାହିଁ । ଫଳରେ ସୁନା ମୂଲ୍ୟ ହ୍ରାସ ପାଇବ । ରୟଟର୍ସ ଅନୁସାରେ ଡଲାର ଦୁର୍ବଳତା ଯୋଗୁଁ କୋଭିଡ୍-୧୯ ଟିକା ପାଇବା ଏବଂ ଅର୍ଥନୀତିରେ ପୁନରୁଦ୍ଧାର ଆଶାରୁ ଇକ୍ବିଟି ଆଡକୁ ଧ୍ୟାନ ଯିବାକୁ ଲାଗିଲାଣି । ଏହାଦ୍ବାରା ସୁନାର ମୂଲ୍ୟ ଆହୁରି ହ୍ରାସ ହୋଇପାରେ ।

କରୋନା ଭାଇରସ୍ ମହାମାରୀ ଯୋଗୁଁ ସେୟାର ବଜାରରେ ହ୍ରାସ ହୋଇଥିଲା । ମାତ୍ର ଏବେ ବଜାର ସମ୍ପୂର୍ଣ୍ଣ ଭାବେ ଠିକ୍ ଚାଲିଛି । ଅଧିକାଂଶ ସେୟାର ବଜାର କରୋନା ପୂର୍ବ ସ୍ଥିତିରେ ପହଞ୍ଚିଛି କିମ୍ବା ତାର ପାଖାପାଖି ରହିଛି । ସେହିଭଳି ଏବେ ସୁନା ମଧ୍ୟ କରୋନା ସମୟର ପୂର୍ବ ସ୍ତରକୁ ଫେରୁଛି । ୨୪ ଫେବୃଆରୀ ୨୦୨୦ରେ ସୁନା ଦର ପ୍ରତି ୧୦ ଗ୍ରାମ ୪୧୦୦୦ ଟଙ୍କା ଥିବାବେଳେ ସେନ୍ସେକ୍ସ ୪୪୦୦୦ର ପାଖାପାଖି ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.