୧୦ ଦିନ ବଢିବା ପରେ ଲଗାତାର କମିଲା ସୁନା, ଦୁଇ ଦିନରେ ଅନୁମାନଠାରୁ ହେଲା ଢେର ଶସ୍ତା
11/08/2020 at 4:57 PM

ନୂଆଦିଲ୍ଲୀ, ୧୧|୦୮ : ଲଗାତାର ୧୦ ଦିନ ଧରି ଦାମ୍ ବୃଦ୍ଧି ପାଇବା ପରେ ଚଳିତ ସପ୍ତାହର ଆରମ୍ଭରେ ସୁନା ଦାମ୍ ହ୍ରାସ ପାଇଛି । ସୋମବାର ଓ ମଙ୍ଗଳବାର ସୁନା ୧୬୦୦ରୁ ଅଧିକ ଟଙ୍କା କମିଛି ।
ସୁନା ବଜାରରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଉପରେ ସେପ୍ଟେମ୍ବରର ଭବିଷ୍ୟତ ଦର ମଙ୍ଗଳବାର ୪୨୪ ଟଙ୍କା ହ୍ରାସ ପାଇ ୫୪,୫୨୨ରେ ପହଁଚିଛି । ତେବେ କାରବାର ବେଳେ ଦର ୧୦ ଗ୍ରାମ ପିଛା ୫୪,୫୭୦ ଟଙ୍କା ଯାଏଁ ପହଁଚିଥିଲା । ସୋମବାର ଏହା ୧୦ ଗ୍ରାମ ପିଛା ୫୪,୯୪୬ରେ ବନ୍ଦ ହୋଇଥିଲା ।
ଭାରତୀୟ ସୁନା ବଜାରକୁ ଦେଖିଲେ ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଆଇଜେଏ କହିଛି ଯେ, ୨୪ କ୍ୟାରେଟ ସୁନାଦର ସୋମବାର ୧୦ ଗ୍ରାମ ପିଛା ୫୪୫୨୮ ରହିଛି । ପୂର୍ବରୁ ଗତ ସପ୍ତାହରେ ସୁନା ଦର ସର୍ବୋଚ୍ଚ ରେକର୍ଡ ଦର ୧୦ ଗ୍ରାମ ପିଛା ୫୬,୧୯୧ଟଙ୍କାରେ ପହଁଚିଥିଲା । ଏହି ଦାମକୁ ଦେଖିଲେ ଏବେ ସୁନା ଦର ୧୬୬୯ ଟଙ୍କା ହ୍ରାସ ପାଇଛି ।
ସେହିପରି ରୁପାର ସେପ୍ଟେମ୍ବର ଭବିଷ୍ୟତ ଦର ୭୨୦ ଟଙ୍କା ହ୍ରାସ ପାଇ କେଜି ପିଛା ୭୪,୬୬୭ ଟଙ୍କାରେ ପହଁଚିଛି । କାରବାର ସମୟରେ ଦର ୭୫,୦୧୦ ଟଙ୍କାରେ ମଧ୍ୟ ପହଁଚି ଯାଇଥିଲା ।
ଅନ୍ତରାଷ୍ଟ୍ରୀୟ ଗହଣା ବଜାର ଉପରେ ନଜର ପକାଇଲେ ସୁନା ଦର ପ୍ରତି ଆଉନ୍ସ ପିଛା ୨,୦୧୭.୯୮ ଡଲାରରେ ପହଁଚି ଯାଇଥିଲା । ।ଯାହା ଏବେ ଆଉନ୍ସ ପିଛା ୨୦୧୪ ଡଲାର ରହିଛି ।