ସୁନା ଦର ପୁଣି ୪୯ ହଜାର ଟଙ୍କା ପାର, ଭୁବନେଶ୍ବରରେ ହଜାରେ ଟଙ୍କା ବଢିଲା ରୁପା : ଜାଣନ୍ତୁ କେତେ ରହିଛି ଦାମ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ସପ୍ତାହର ଶେଷ କାରବାର ଦିନରେ ମହଙ୍ଗା ହୋଇଛି ସୁନା ଏବଂ ରୁପା ଦର । ଶୁକ୍ରବାର କାରବାର ଆରମ୍ଭରୁ ସୁନା ଦର ୮୫ ଟଙ୍କା ବୃଦ୍ଧି ପାଇଥିଲା । ଦିନ ୧୧ ଟା ବେଳେ ପୁଣି ଥରେ ୬୨ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୯,୨୬୦ ଟଙ୍କା ରହିଛି ସୁନା ଦାମ । ସେହିପରି ରୁପା ଦାମରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଦିନ ୧୧ ଟା ସୁଦ୍ଧା କାରବାର ସମୟରେ ରୁପା ଦାମ କିଲୋ ପିଛା ୩୧୩ ଟଙ୍କା ବୃଦ୍ଧି ଘଟି ୭୨, ୩୧୨ ଟଙ୍କା ହୋଇଛି ।

ଏହା ପୂର୍ବରୁ ଗୁରୁବାର ଦିନ ଦିଲ୍ଲୀରେ ସୁନାର ଦାମ ହ୍ରାସ ପାଇଥିଲା । HDFC ସିକ୍ୟୁରିଟି ଅନୁଯାୟୀ, ସୁନା ୨୫୯ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୪୮,୧୨୭ ଟଙ୍କାକୁ ଖସିଆସିଥିଲା । ଗତ ସପ୍ତାହରେ ସୁନା ଦର ୪୮,୩୮୬ ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ଗୁରୁବାର ଦିନ ରୁପା ଦାମ ମଧ୍ୟ ୧୧୦ ଟଙ୍କା ହ୍ରାସ ପାଇ ୭୦, ୨୭୪ ଟଙ୍କା ରହିଥିଲା । ଗତ ସପ୍ତାହରେ ରୁପାର ଦାମ କିଲୋ ପିଛା ୭୦, ୩୮୪ ଟଙ୍କା ରହିଥିଲା ।

ମୋତିଲାଲ ଓସୱାଲର ବିଶ୍ଳେଷକମାନେ କହିଛନ୍ତି ଯେ କରୋନା ମହାମାରୀ ସହିତ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଭୟ, ଋଣ ଆଧାରରେ ଅର୍ଥନୈତିକ ଅଭିବୃଦ୍ଧି, ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏବଂ ଅନ୍ୟାନ୍ୟ କାରଣରୁ ସୁନା ପ୍ରତି ଏକ ସକାରାତ୍ମକ ଭାବନା ରହିଛି। ଏଥିପାଇଁ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ସୁନା ଦର ୩୦୦ ଟଙ୍କା ବୃଦ୍ଧିପାଇ ୧୦ ଗ୍ରାମ ପିଛା ୪୬,୧୦୦ ଟଙ୍କା ରହିଛି । ଗୁରୁବାର ସୁନା ଦର ୪୫,୮୦୦ ଟଙ୍କା ଥିଲା । ୨୪ କ୍ୟାରେଟ ସୁନା ଦାମ ମଧ୍ୟ ଆଜି ୩୩୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୫୦,୩୦୦ ଟଙ୍କା ରହିଛି । ରାଜଧାନୀରେ ରୁପାର ଦାମ ଅହେତୁକ ବୃଦ୍ଧି ପାଇଛି । ଶୁକ୍ରବାର ରୁପା କିଲୋ ପିଛା  ୧୦୦୦ ବୃଦ୍ଧି ପାଇ ୭୭,୧୦୦ ଟଙ୍କାରେ ପହଞ୍ଚିଛି ଯାହାକି ଗତକାଲି ୭୬,୧୦୦ ଟଙ୍କା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.