ଆଜିଠୁ ବଦଳିଗଲା ସୁନା ସମ୍ପର୍କିତ ନିୟମ ! ଆପଣବି ଜାଣି ରଖନ୍ତୁ ନଚେତ ଯାଇପାରନ୍ତି ଜେଲ

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: ସାରା ଦେଶରେ ମଙ୍ଗଳବାର ଜୁନ ୧୫ ତାରିଖରୁ ହଲମାର୍କ ସୁନା ଅନିବାର୍ଯ୍ୟ କରି ଦିଆଯାଇଛି। ଏଣୁ ଆପଣ ଜ୍ୱେଲରୀ ସପ୍‌କୁ ସୁନା କିଣିବାକୁ ଗଲେ ସେଠାରେ ଆପଣଙ୍କୁ କେବଳ ହଲମାର୍କ ସ୍ୱର୍ଣ୍ଣଳଙ୍କାର ହିଁ କିଣିବାକୁ ମିଳିବ। ଅଳଙ୍କାରଟି କେତେ କ୍ୟାରେଟର ହଲମାର୍କରେ ତାହା ଖୋଦେଇ ହୋଇଥିବା ଆପଣ ସ୍ପଷ୍ଟ ଦେଖିପାରିବେ। ଏଣୁ ଗ୍ରାହକ ସୁନାର ସୁଦ୍ଧତାକୁ ନେଇ ଆଉ ଆଗଭଳି ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ। ଏହା ଦ୍ୱାରା ଗ୍ରାହକ ଲାଭବାନ ହେବେ ବୋଲ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ମଙ୍ଗଳବାର କହିଛନ୍ତି।

ଗୋଲ୍ଡ ହଲମାର୍କିଂକୁ ସ୍ୱର୍ଣ୍ଣର ସୁଦ୍ଧତା ସାର୍ଟିଫିକେଟ ମଧ୍ୟ କୁହାଯାଇପାରେ। ଏଣୁ ଗ୍ରାହକଙ୍କୁ ସ୍ୱର୍ଣ୍ଣଳଙ୍କାର ଦୋକାନରେ ୧୪, ୧୮ ଓ ୨୨ କ୍ୟାରେଟର ସୁନା କିଣିବାକୁ ମିଳିବ। ସାରା ଦେଶରେ ଏପ୍ରିଲ ୨୦୦୦ ମସିହାରୁ ସୁନାର ହଲମାର୍କିଂ ଆରମ୍ଭ ହୋଇଥିଲା। ଏଣୁ ଦେଶରେ ପ୍ରାୟ ୪୦ ପ୍ରତିଶତ ଜ୍ୱେଲର ହଲମାର୍କିଂ ସ୍ୱର୍ଣ୍ଣଳଙ୍କାର କ୍ରୟ ବିକ୍ରୟ କରୁଛନ୍ତି। ଏଥିରେ ବଞ୍ଚିତ ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ଅନଲାଇନରେ ଉପଲବ୍ଧ ହେଉଥିବା ଅଟୋମେଟିକ ରେଜିଷ୍ଟ୍ରେସନ ପ୍ରକ୍ରିୟାର ଫାଇଦା ମଧ୍ୟ ନେଇପାରିବେ।

{"id":466491,"width":836,"height":667,"sizeSlug":"large","linkDestination":"none"}

ଭାରତର ମୋଟ ୪ ଲକ୍ଷ ଜ୍ୱେଲରଙ୍କ ମଧ୍ୟରୁ ୩୫ ହଜାର ୮୭୯ ବିଆଇଏସ୍‌ ସାର୍ଟିଫାଏଡ ଥିବା  ବିଶ୍ୱ ସ୍ୱର୍ଣ୍ଣ ପରିଷଦ (ଡବ୍ଲୁସିଜି)ଙ୍କ ସୂଚନାରୁ ଜଣାପଡିଛି। ତେବେ ସୁନା ଲାଗି ବଦଳିଥିବା ହଲମାର୍କିଂ ନିୟମର ପ୍ରଭାବ ଘରେ ମହଜୂଦ ପୁରୁଣା ସୁନା ଉପରେ ପଡିବ ନାହିଁ ବୋଲି କୁହାଯାଇଛି। ଏପରି ସ୍ୱର୍ଣ୍ଣଳଙ୍କାରକୁ ପୂର୍ବ ଭଳି ଜ୍ୱେଲରଙ୍କ ଠାରେ ବଦଳ କିମ୍ବା ବିକ୍ରି ମଧ୍ୟ କରିପାରିବେ। ଏଥିରେ ସ୍ୱର୍ଣ୍ଣଳଙ୍କାର ଦର ମଧ୍ୟ ପ୍ରଭାବିତ ହେବ ନାହିଁ। ତେବେ ନିୟମାନୁସାରେ ବ୍ୟବସାୟୀ ଏବେ ଠାରୁ ଆଗକୁ ଆଉ ବିନା ହଲମାର୍କ ସ୍ୱର୍ଣ୍ଣଳଙ୍କାର ଗ୍ରାହକଙ୍କୁ ବିକ୍ରି କରିପାରିବେନି।

ଯଦି କୌଣସି ଜ୍ୱେଲର ସରକାରଙ୍କ ହଲମାର୍କ ନିୟମର ପାଳନ ନ କରନ୍ତି ଓ ବିନା ହଲମାର୍କ ସ୍ୱର୍ଣ୍ଣଳଙ୍କାର କିଣାବିକା କରନ୍ତି ଏହା ଜଣାପଡିଲେ  ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡିଲେ ବିଆଇଏସ ଆକ୍ଟ ୨୦୧୬ର ସେକ୍ସନ ୨୯ ଅନୁସାରେ ବ୍ୟବସାୟୀଙ୍କୁ  ଜେଲ ଅଥବ ଜରିମନା ନଚେତ ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.