କରୋନା ସଙ୍କଟ ସୁନା-ରୂପାକୁ ଛୁଉଁନି: ଗହଣା ଦର ବଢି ବଢି ରେକର୍ଡ କଲାଣି

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: କରୋନା ମହାମାରୀ ସଂକ୍ରମଣ ଯେମିତି  ହୁ ହୁ ହୋଇ ବଢିବାରେ ଲାଗିଛି ସେହି ପରି ସୁନା ଓ ରୂପା ଦର ବଢି ଚାଲିଛି। ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ବୁଧବାର ସୁନା ଦର  ୧୦ ଗ୍ରାମ ପିଛା ୪୩୦ ଟଙ୍କା ବଢିଛି। ଏବେ ସୁନା ଭରି ୫୦ ହଜାର ଟପି ୫୦,୯୨୦ ଟଙ୍କାରେ ପହଞ୍ଚିଛି। ସେହି ପରି ରୂପା କିଲୋ ପିଛା ୬୧ ହଜାର ଟଙ୍କା ଅତିକ୍ରମ କରିଛି। ବୁଧବାର ଏକ କିଲୋଗ୍ରାମ ରୂପାର ମୂଲ୍ୟ ୬୧,୪୦୦ ଟଙ୍କା ରହିଛି। ଗତ ୭ ବର୍ଷରେ ରୂପା ଦର ସର୍ବାଧିକ  ରହିଛି।

ଗୋଟିଏ ଦିନ ପୂର୍ବେ ସୁନା ୧୦ ଗ୍ରାମ ପ୍ରତି ୫୦,୪୯୦ ଟଙ୍କାରେ ବନ୍ଦ ରହିଥିଲା। କିନ୍ତୁ ଆଜି ସୁନା ୧୦ ଗ୍ରାମ ପ୍ରତି ୫୦,୯୨୦ ଟଙ୍କା ରହିଛି। ସେହି ପରି ଆଜି ରୂପା ଦର ୨୫୫୦ ଟଙ୍କାର ଅହେତୁକ ବୃଦ୍ଧି ଘଟିଛି। ଏହା ସହିତ ରୂପା କିଲୋ ପିଛା ୬୦, ୪୦୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଦିନ ଏକ କିଲୋଗ୍ରାମ ରୂପାର ଦର ୫୭,୮୫୦ ଟଙ୍କା ରହିଥିଲା।

ଏଚଡିଏଫସି ସିକ୍ୟୁରିଟିଜର ସିନିୟର କମୋଡିଟି ଆନାଲିଷ୍ଟ ତପନ ପଟେଲ କହିଛନ୍ତି ଦିଲ୍ଲୀର ହାଜିର ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ୪୩୦ ଟଙ୍କା ବୃଦ୍ଧି ଘଟିଛି। ଏହା ଅନ୍ତରାଷ୍ଟ୍ରୀୟ ସରାଫା ବଜାରରେ ଘଟିଥିବା ଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି।

ଅନ୍ତରାଷ୍ଟ୍ରୀ୍ୟ ବଜାରରେ ମୂଲ୍ୟ ବୃଦ୍ଧି ସହିତ ଏକ ଅନ୍ସ ସୁନାର ମୂଲ୍ୟ ୧୮୫୫ ଡଲାର  ରହିଛି। ସେହି ପରି ରୂପା ଅନ୍ସ ପ୍ରତି ୨୧.୮୦ ଡଲାର ରହିଛି। ସେ କହିଛନ୍ତି ଅନ୍ତରାଷ୍ଟ୍ରୀୟ ହାଜିର ବଜାରରେ ଜବରଦସ୍ତ କାରବାର କାରଣରୁ ବୁଧବାର ସୁନାର ଚାହିଦା ବୃଦ୍ଧି ଘଟିବା ସହିତ ଦର ମଧ୍ୟ ବୃଦ୍ଧି ଘଟିଛି। ପଟେଲ କହିଛନ୍ତି କରୋନା ଭାଇରସ୍ ମହାମାରୀ ଦୃଷ୍ଟିରୁ ସୁନା ଏକ ସୁରକ୍ଷିତ ନିବେଶରେ ପରିଣତ ହୋଇଛି। ଏହି କାରଣରୁ ବଜାରେ ସୁନାର ଚାହିଦା ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.