ନଦୀରୁ ମିଳୁଛି ସୁନା : ମାତ୍ର ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ସ୍ଥାନୀୟ ଲୋକେ, ସର୍ଭେ କରିବାକୁ ସରକାର ପ୍ରସ୍ତୁତ

Published By : Prameya-News7 Bureau | August 11, 2020 IST

ରାୟପୁର, ୧୧|୦୮: ଦୁଇ ନଦୀର ନିକଟବର୍ତ୍ତୀ ଅଞ୍ଚଳରୁ ମିଳୁଛି ସୁନା । ସୁନାର ଭଣ୍ଡାର ମଧ୍ୟ ରହିଥିବା ସନ୍ଦେହ କରାଯାଉଛି । ଦେଶର ଏହି ୨ ନଦୀକୂଳରୁ ସୁନା ଧାତୁ ପାଇ କେତେକଙ୍କ ଜୀବନ ମଧ୍ୟ ବଦଳି ଯାଇଛି । ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ଥିବା ଦୁଇଟି ନଦୀ କୂଳକୁ ଦଶନ୍ଧି ଦଶନ୍ଧି ଧରି ସୁନା ମିଳୁଛି । ଏବେ ଏହି ଅଞ୍ଚଳରେ ସର୍ଭେ କରାଯିବ ବୋଲି ମଧ୍ୟ କୁହାଯାଉଛି ।

ଏହି ଅଞ୍ଚଳରୁ ସୁନା ଖନନ ନେଇ ସର୍ଭେ ପାଇଁ ଗବେଷକ ପ୍ରସ୍ତୁତ ଅଛନ୍ତି । କିନ୍ତୁ ରାଜ୍ୟର ଖଣି ବିଭାଗ ଏନେଇ କୌଣସି ଆଲୋଚନା କରୁନଥିବା କୁହାଯାଉଛି । ନଇ ଦୁନିଆ ଖବର କାଗଜ ଅନୁସାରେ, ଜଶପୁରନଗର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଇବ ଓ ଏହାର ଉପନଦୀ ସୋନାଜୋରୀରେ ସୁନା ଖଣ୍ଡ ମିଳୁଛି । ସ୍ଥାନୀୟ ଝାରୋ ଜନଜାତିର ଲୋକମାନେ ନଦୀକୂଳରୁ ସୁନା ଖଣ୍ଡ ବାହାର କରୁଛନ୍ତି ।

୨୦୧୦ରେ କେନ୍ଦ୍ର ସରକାର ଏହି ଅଞ୍ଚଳକୁ ଗୁରୁତର ସହ ନେଇଥିଲେ । ସରକାର ଦୁଇଟି ଘରୋଇ କମ୍ପାନୀ ସାହାଯ୍ୟରେ ଏହି ଅଞ୍ଚଳରେ ସର୍ଭେ କରିଥିଲେ ମଧ୍ୟ ଅଧିକ କିଛି ତଥ୍ୟ ମିଳିପାରି ନଥିଲା । ୬ ମାସ ଧରି ଚାଲିଥିବା ଏହି ସର୍ଭେରେ ସୁନା ଥିବା ନେଇ ସୂଚନା ମିଳିଥିଲେ ମଧ୍ୟ କେଉଁ ସ୍ଥାନରେ ଓ କେତେ ମାତ୍ରାରେ ଅଛି ସେନେଇ କୌଣସି ସୂଚନା ମିଳିନଥିଲା । ଏପରି ସର୍ଭେକୁ ମଧ୍ୟ କିଛି ସ୍ଥାନରେ ବିରୋଧ କରାଯାଇଥିଲା ।

ଏବେ ଜିଲ୍ଲାରେ ପୁଣି ସୁନା ମିଳିବା ପରେ ଚର୍ଚ୍ଚା ଜୋର୍ ଧରିଛି । ସରକାର ପୁଣି ଠୋସ୍ ସୂଚନା ପାଇବା ପାଇଁ ସର୍ଭେ କରିବାକୁ ରାଜି ଅଛନ୍ତି । ତେବେ ଏଠାରେ ରହୁଥିବା ଝାରୋ ଜନଜାତି ବର୍ଷା ଦିନ ଆରମ୍ଭରୁ ନଦୀରୁ ସୁନା ବାହାର କରିବାରେ ଲାଗିପଡନ୍ତି । ନଦୀରୁ ବାଲିକୁ ଛାଣି ସୁନା ପାଇଥାନ୍ତି ।

ସୁନା ବାହାର କରିବାକୁ ନେଇ ସ୍ଥାନୀୟ ଲୋକେ ଅନେକ ଥର ଅନ୍ତରାଷ୍ଟ୍ରୀୟ ତସ୍କର ଓ ସୁନା ଦଲାଲଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ସୁନା ପାଇବା ପରେ ସ୍ଥାନୀୟ ଲୋକେ ଏହାକୁ ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରିଥାନ୍ତି । ବଜାରରେ ଏହାର ଦାମ ଏକ ହଜାର ଟଙ୍କା ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.