ଖୁସୀ ଖବର : ଲଗାତାର ଚତୁର୍ଥ ଦିନବି ଶସ୍ତା ହେଲା ସୂନା ରୂପା ଦର, ଜାଣନ୍ତୁ କେତେ କମିଲା ଆଭୂଷଣ ମୂଲ୍ୟ
20/09/2019 at 5:01 PM

ବଜାରରେ ଶୁକ୍ରବାର ଚତୁର୍ଥଦିନ ମଧ୍ୟ ସୁନା ରୂପା ଅଳଙ୍କାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଦଲ୍ଲୀ ସର୍ରଫା ବଜାରରେ ସୁନାମୂଲ୍ୟ ପୁଣି ୧୭୦ ଟଙ୍କା ହ୍ରାସ ହୋଇଥିବା ବେଳେ ପ୍ରତି ୧୦ ଗ୍ରାମ ୩୮ ହଜାର ୩୯୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଗତ ୪ ଦିନରେ ପ୍ରତି ୧୦ ଗ୍ରାମ ସୁନାମୂଲ୍ୟରେ ୮୦୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏହା ପୂର୍ବରୁ କେବେ ସ୍ୱର୍ଣ୍ଣ ଆଭୂଷଣ ମୂଲ୍ୟରେ ଏଭଳି ହ୍ରାସ ଦେଖାଦେଇନଥିଲା।

କୁହାଯାଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ସ୍ୱର୍ଣ୍ଣଳଙ୍କାର ବଜାର ଏପରି ପ୍ରଭାବିତ ହୋଇଛି। ଗତ ମଙ୍ଗଳବାର ପ୍ରଥମ ଦିନ ସ୍ୱର୍ଣ୍ଣ ଆଭୂଷଣ ବଜାରରେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କା ହ୍ରାସ ହୋଇଥିଲା। ବୁଧବାର ୨୧୫ ଓ ଗୁରୁବାର ୨୬୯ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ ହୋଇଥିଲା। ଯଦିଓ ଶୁକ୍ରବାର ଦରରେ ବିଶେଷ ହ୍ରାସ ହୋଇ ନାହିଁ ତେବେ ସୁନା ଆହୁରି ୧୭୦ ଟଙ୍କା ହ୍ରାସ ହୋଇଛି।

କେବଳ ସୁନା ନୁହେଁ ରୌପ୍ୟ ଅଳଙ୍କାରରେ ମଧ୍ୟ ମୂଲ୍ୟ ହ୍ରାସ ହୋଇଛି। ଶୁକ୍ରବାର ପ୍ରତି କେଜି ରୂପା ମୂଲ୍ୟରେ ୧୨୦ ଟଙ୍କା ପର୍ଯନ୍ତ ଦରହ୍ରାସ ହୋଇଛି। ଫଳରେ ବୁଧବାର ପ୍ରତିକେଜି ୪୭ ହଜାର ୭ଶହ ଟଙ୍କାରେ ବିକ୍ରୟ ହେଉଥିବା ରୂପା ଶୁକ୍ରବାର ୪୭ ହଜାର ୫୮୦ ଟଙ୍କାକୁ ଖସି ଆସିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେନୁଫେକ୍ଚରିଂ କମ୍ପାନୀଙ୍କୁ ଶୁଳ୍କ କ୍ଷେତ୍ରରେ ରିହାତି ଘୋଷଣା କରିଥିଲେ। କମ୍ପାନୀମାନଙ୍କ ଲାଗି ନୂଆ କର୍ପୋରେଟ ଶୁଳ୍କ ୨୫.୧୭ ପ୍ରତିଶତ ନିର୍ଦ୍ଧାରିତ କରିଛନ୍ତି। କେବଳ ସେତିକି ନୁହେଁ କ୍ୟାପିଟାଲ ଗେନ ଉପରେ ସରଚାର୍ଜ ମଧ୍ୟ ପ୍ରତ୍ୟାହାର କରିଛନ୍ତି। ଫଳରେ ସୁନାରୂପା ମୂଲ୍ୟରେ ଏଭଳି ହ୍ରାସ ପରିଲକ୍ଷିତ ହେଉଛି।