ଦେଢମାସର ସର୍ବ ନିମ୍ନ ସ୍ତରରେ ସୁନା, ଜାଣନ୍ତୁ ଏବେ ବଜାରରେ ପ୍ରତି ୧୦ ଗ୍ରାମ ମୂଲ୍ୟ କେତେ
26/09/2019 at 8:21 PM

ନୂଆଦିଲ୍ଲୀ: ସ୍ୱର୍ଣ୍ଣଳଙ୍କାର ବଜାରରେ ଉପୁଜିଥିବା ମୂଲ୍ୟ ହ୍ରାସ ଗୁରୁବାର ମଧ୍ୟ ଜାରି ରହିଛି। ଫଳରେ ସୁନା ଗତ ଦେଢମାସର ସର୍ବ ନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ଦିଲ୍ଲୀ ସର୍ରଫା ବଜାରରେ ୪ଶହ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମ ସୁନା ୩୮ ହଜାର ୨୭୦ ଟଙ୍କା ଦରରେ ବିକ୍ରୟ ହେଉଛି। କେବଳ ସୁନା ନୁହେଁ ରୂପା ମଧ୍ୟ ସପ୍ତାହ ପୂର୍ବର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କେଜି ପିଛା ମୂଲ୍ୟରେ ୧ ହଜାର ୫୩୦ ଟଙ୍କା ହ୍ରାସ ସହ ଏବେ ୪୭ ହଜାର ୧୨୦ ଟଙ୍କାରେ ବିକ୍ରୟ ହେଉଛି।

ଲଣ୍ଡନ ଓ ନ୍ୟୁୟର୍କରୁ ମିଳୁଥିବା ସୂଚନା ଅନୁସାରେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ସମାପ୍ତ ହେବା ଆଶାରେ ବୁଧବାର ଅଚାନକ ସୁନାମୂଲ୍ୟରେ ୧.୮ ପ୍ରତିଶତ ହ୍ରାସ ହୋଇଥିଲା। ସେପଟେ ଗୁରବାର ମୁଦ୍ରା ବାସ୍କେଟରେ ଡଲାରର ମୂଲ୍ୟ ହ୍ରାସ ଯୋଗୁ ସୁନା ଦର ୦.୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଦେଶରେ ପ୍ରତି ଆଉନ୍ସ ୧,୫୦୮.୬୮ ଡଲାରରେ ପହଞ୍ଚିଛି। ଡିସେମ୍ବରରେ ଆମେରିକା ସୁନା ୨.୬୦ଡଲାର ଅଭିବୃଦ୍ଧି ସହ ଆଉନସ ପିଛା ମୂଲ୍ୟ ୧,୫୧୪.୯୦ ଡଲାରରେ ପହଞ୍ଚିବ ବୋଲି କୁହାଯାଉଥିଲା। ତେବେ ଡଲାରର ମୂଲ୍ୟ ହ୍ରାସ ଯୋଗୁ ସୁନା କମଜୋର ହୋଇପଡିଛି।

ଆମେରିକା ବଜାରରେ ରୂପା ମୂଲ୍ୟ ପ୍ରାୟ ସ୍ଥିର ରହିଛି। ତେବେ ଦେଶର ବଜାରରେ ଷ୍ଟାଣ୍ଡାର୍ଡ ମୂଲ୍ୟରେ ମୂଲ୍ୟରେ ପୁଣି ୪ଶହ ଟଙ୍କା ହ୍ରାସ ହୋଇଛି। ବଜାରରେ ଏବେ ସୁନା ଅଗଷ୍ଟ ୧୪ ତାରିଖ ପୂର୍ବ ମୂଲ୍ୟରେ ବିକ୍ରୟ ହେଉଛି। ଏଥିରେ ୮ ଗ୍ରାମ ଗିନ୍ନି ମୂଲ୍ୟ ମଧ୍ୟ ୧୦୦ ଟଙ୍କା ହ୍ରାସ ସହ ୩୦ ହଜାର ୧ଶହ ଟଙ୍କାକୁ ଓହ୍ଲାଇଛି।