ଲକଡାଉନ ପାଇଁ ଗହଣା ବେପାର ମାନ୍ଦା: ହ୍ରାସ ପାଇଲା ସୁନା-ରୁପା ଦର, ଜାଣନ୍ତୁ ନୂଆ ଦାମ୍

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ, ୧୧|୦୪:  କରୋନା ଭାଇରସକୁ ରୋକିବା ପାଇଁ ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଫଳରେ ସମସ୍ତ ଗହଣା ଦୋକାନ ବନ୍ଦ ରହିଛି । ଗତ ୧୫ ଦିନରେ ସୁନା ଓ ରୁପା ଦାମରେ ଲଗାତାର ଭାବେ ହ୍ରାସ ପରିଲକ୍ଷିତ ହେଉଛି । ଏହି ବର୍ଷ ସୁନାର ଚାହିଦା ୩୦ ପ୍ରତିଶତ ହ୍ରାସ ପାଇଛି ।

ସୁନା ଓ ରୁପାର ଦାମ ହ୍ରାସ ପାଇଲେ ଦେଶର ଜିଡିପି ସିଧାସଳଖ ଭାବେ ପ୍ରଭାବିତ ହେବ । କାରଣ ଲକଡାଉନ ପାଇଁ ସୁନା ରୁପା ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । କରୋନା ସଙ୍କଟ ପାଇଁ ବିଭିନ୍ନ ବିବାହ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି । ତେଣୁ କେହି ସୁନା ରୁପା କ୍ରୟ କରୁନାହାଁନ୍ତି । ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର କହିବାନୁସାରେ, ସୁନା ଓ ରୁପାର କାରବାର ବିବାହ କାର୍ଯ୍ୟକ୍ରମ ଉପରେ ଅଧିକ ନିର୍ଭର କରିଥାଏ । କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ବନ୍ଦ ହେବା ପରେ ସୁନା ଉପରେ ବହୁତ ଖରାପ ପ୍ରଭାବ ପଡିଛି ।

{"id":252449,"width":746,"height":490,"sizeSlug":"large"}

ଗୁଡରିଟର୍ଣ୍ଣସ୍ ଓ୍ୱେବସାଇଟ ଅନୁସାରେ, ଶନିବାର ରୁପାର ଦାମ ଏକ କେଜି ପ୍ରତି ୪୧ ହଜାର ଟଙ୍କା ଥିବା ବେଳେ ୧୦ ଗ୍ରାମ ସୁନାର ଦାମ ୪୨, ୭୫୫ ଟଙ୍କା ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ବଜାରରେ କାରବାର ଠପ ହୋଇଯାଇଛି । ଫଳରେ ଅନେକ ସାମଗ୍ରୀର ଦାମ ହ୍ରାସ ପାଇଛି । ଏପରିକି ରୋଜଗାର ଓ ଆୟ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି । ଲକଡାଉନ ପୂର୍ବରୁ ସୁନା ରୁପା ବଜାରରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । କିନ୍ତୁ ଏବେ କାରିଗରମାନେ ମଧ୍ୟ ପ୍ରଭାବିତ ହୋଉଛନ୍ତି । ପ୍ରାୟ ୫୦ ଲକ୍ଷ କାରିଗର ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.