ଧନତେରସ ଲାଗି ପ୍ରସ୍ତୁତ ହେଉଛନ୍ତି ସ୍ୱର୍ଣ୍ଣ ଆଭୂଷଣ ବ୍ୟବସାୟୀ, ଜାଣନ୍ତୁ କିପରି ରହିବ ବଜାରର ମିଜାଜ
20/10/2019 at 7:27 PM

ନୂଆଦିଲ୍ଲୀ: ମାତ୍ର ଦିନ କେଇଟା ପରେ ଦିବାଲୀ। ତା ପୂର୍ବରୁ କିନ୍ତୁ ଜମିବ କିଣାବିକାର ଧୁମ। ଧନତେରସରେ ଲୋକେ ଘରକୁ ବୋହି ନେବେ ମନପସନ୍ଦର ସାମଗ୍ରୀ, ସାଙ୍ଗକୁ ସ୍ୱର୍ଣ୍ଣ ଆଭୂଷଣ ମଧ୍ୟ। ତେବେ ଅନ୍ୟ ସାମଗ୍ରୀ ନ ହେଲେ ନାହିଁ କିନ୍ତୁ ଲୋକେ ନିଶ୍ଚିତ ସ୍ୱର୍ଣ୍ଣଆଭୂଷଣ କିଣିବେ। ଏଥିଲାଗି ଦେଶର ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ସେମାନଙ୍କ ରଣନୀତି ପ୍ରସ୍ତୁତ କରିସାରିଲେଣି। ଦିଲ୍ଲୀ ସର୍ରଫା ବଜାର ଚଳିତବର୍ଷ ହାଲୁକା ଆଭୂଷଣ ଲାଗି ଖାସ୍ ପ୍ରସ୍ତୁତି କରିଛି।

ଭାରତରେ ସୁନାରୂପା ଭଳି ମହଙ୍ଗା ଧାତୁ କିଣାବିକା ଲାଗି ଦୀପାବଳି ପୂର୍ବ ଧନତେରସ ସବୁଠାରୁ ଭଲ ଦିନ ବୋଲି ଲୋକଚଳଣୀରେ ରହିଆସିଛି। ସେହି ଅନୁସାରେ ଚଳିତବର୍ଷ ଅକ୍ଟୋବର ୨୫ ତାରିଖ ଶୁକ୍ରବାର ଧନତେରସ ପାଳିତ ହେବ। ତେବେ ତା ପୂର୍ବରୁ ୨୨ ତାରିଖ ପୂଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିବାରୁ ୨୨ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ କିଣାବିକା ଲାଗି ବ୍ୟବସାୟୀ ବେଶ ଉତ୍ସାହୀ ହୋଇଉଠିଛନ୍ତି। ଏଥିନିମନ୍ତେ ବ୍ୟବସାୟୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଥିବା ବେଳେ ଜାଣନ୍ତୁ କ’ଣ କହିଛନ୍ତି ସେମାନଙ୍କ ଖାସ ପ୍ରସ୍ତୁତି ସମ୍ପର୍କରେ।

ସୁନା ଓ ରୂପା ଧାତୁର ମୂଲ୍ୟ ବୃଦ୍ଧି ପ୍ରଭାବ ଚଳିତ ପାର୍ବଣ ଋତୁକୁ ପ୍ରଭାବିତ କରିଛି। ହେଲେ ଲୋକେ ଯେପରି ନିରାଶ ନ ହେବେ ସେଥିଲାଗି ଆମ ତରଫରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିବା ଦିଲ୍ଲୀ ସର୍ରଫା ବଜାରର ଜନୈକ ବ୍ୟବସାୟୀ କହିଛନ୍ତି। ଉଚ୍ଚା ଦର ଯୋଗୁ ଲୋକେ ଅଧିକ ଓଜନର ଆଭୂଷଣ କିଣିବେ ନାହିଁ। ଯଦି ବି କିଣିବେ ତେବେ କମ୍ ପରିମାଣର। ଯେଉଁଥିରେ ସେମାନଙ୍କୁ ଧନତେରାସ କିଣାର ସନ୍ତୋଷ ମିଳିବ ନାହିଁ। ଏଣୁ ଲୋକେ ନିଜ ଇଛା ଅନୁସାରେ ମନମୁତାବକ ଆଭୂଷଣ ପାଇବେ ଓ ନିଜ ବଜେଟରେ ବି କିଣିବେ, ସେଥିଲାଗି ଆମେ ସ୍ୱଳ୍ପ ଓଜନର ସୁନ୍ଦରସୁନ୍ଦର ଡିଜାଇନ ଆଗରୁ ମଗାଇ ରଖିଛୁ।

କେବଳ ସେତିକି ନୁହେଁ ଏଭଳି ଆଭୂଷଣ କ୍ରୟ ଉପରେ ମେକିଙ୍ଗ ଚାର୍ଜ ରିହାତି ମଧ୍ୟ ଦେବାକୁ ଅନେକ ବ୍ୟବସାୟୀ ଯୋଜନା କରିଛନ୍ତି। କେତେକ କ୍ଷେତ୍ରରେ ଗ୍ରାହକଙ୍କୁ ମେକିଂ ଚାର୍ଜରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବାକୁ ବ୍ୟବସାୟୀମାନେ ମାନସିକ ପ୍ରସ୍ତୁତି କରିନେଇଥିବା କହିଛନ୍ତି। ବିଶେଷ କରି ଅହମ୍ମଦାବାଦର ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ଏପରି ବମ୍ପର ରିହାତି ଦେବାକୁ ଯାଉଥିବା ଜେମ ଏଣ୍ଡ ଜ୍ୱେଲରୀ ଟ୍ରେଡ କାଉନସିଲ ଅଫ ଇଣ୍ଡିଆର ସଭାପତି ଶାନ୍ତି ଭାଇ ପଟେଲ କହିଛନ୍ତି। ତେବେ ଚଳିତବର୍ଷ ସ୍ୱର୍ଣ୍ଣାଳଙ୍କାର ଅପେକ୍ଷା ଅଧିକ ପରିମାଣରେ କଏନ ବିକ୍ରି ହେବାର ଆଶା କରାଯାଉଛି। ତେବେ ଆଗକୁ ବିବାହ ଋତୁ ଥିବାରୁ ଚଳିତବର୍ଷ ଧନତେରସ କିଣାବିକା ବେଶ ହେବ ବୋଲି ବ୍ୟବସାୟୀ ଆଶାୟୀ ଅଛନ୍ତି।