ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଛତ୍ରପୁର ଥାନାରେ ହାଜର ହେଲେନାହିଁ ବିଜେପି ନେତା ଗୋଲକ ମହାପାତ୍ର
7/02/2019 at 3:48 PM

ଛତ୍ରପୁର ୭|୧: ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହେଲେନାହିଁ ବିଜେପି ନେତା ଗୋଲକ ମହାପାତ୍ର । ଦେହ ଖରାପ ଥିବା କହି ହାଜର ପାଇଁ ସମୟ ମାଗିଲେ ଗୋଲକ । ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବରୁ ଥରେ ଛତ୍ରପୁର ଥାନାରେ ହାଜର ହୋଇ ସାରିଛନ୍ତି ଗୋଲକ ମହାପାତ୍ର । ପୁଣି ଥରେ ହାଜର ହେବାକୁ ଗୋଲକଙ୍କୁ ନୋଟିସ୍ କରାଯାଇଥିଲା । ସେହିପରି ଆସନ୍ତା ୯ ତାରିଖରେ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ କରାଯାଇଛି । ଏହି ମାମଲାରେ ଏବେ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି ପୋଲିସ ।
ବିଜେଡିର ଦୁଇ ଜଣ ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାଏକ ଓ ଅରୁଣ ସାହୁଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ସମନ କରିବା ପରେ ଛତ୍ରପୁରରେ ଘଟିଥିବା ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରାଯାଇଥିଲା । ଫଳରେ ଉଭୟ ଘଟଣାକୁ ରାଜନୈତିକ ଆକ୍ରୋଶ ବୋଲି କୁହାଯାଉଛି ।

୨୦୧୭ ସେପ୍ଟେମ୍ବର ୧୬ତାରିଖରେ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନିର୍ବାଚନକୁ କେନ୍ଦ୍ରକରି ବିବାଦ ଚାଲିଥିବାବେଳେ ଛତ୍ରପୁର ଏଲଆଇସି କଲୋନୀ ନିକଟରେ ଥିବା ଘର ଉପରକୁ ୨୦ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘରେ ପଶି ଲକ୍ଷ୍ମୀଦତ୍ତଙ୍କୁ ଟାଣି ଆଣି ଖଣ୍ଡା ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଲକ୍ଷ୍ମୀଦତ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀଦତ୍ତ ଛତ୍ରପୁର ଓ୍ବାର୍ଡ ନଂ ୬ର ବିଜେଡି କାଉନସିଲର ଥିଲେ ।
ପୂର୍ବରୁ ସିପିଆଇର ଜଣେ ନେତାଙ୍କୁ ହତ୍ୟା କରିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଥିଲା । ତେବେ ଏହି ହତ୍ୟାକାଣ୍ଡରେ ବିଜେପିର କର୍ମୀ ଓ କର୍ମକର୍ତ୍ତାମାନେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋଲକ ମହାପାତ୍ରଙ୍କ ପରାମର୍ଶରେ ପ୍ରଥମେ କଟକ ଓ ପରେ ଉତ୍ତରାଖଣ୍ଡରେ ଯାଇ ଆତ୍ମଗୋପନ କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଉତ୍ତରାଖଣ୍ଡରେ ଥିବାବେଳେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋଲକଙ୍କ ସହ ଯୋଗଯୋଗରେ ଥିବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତୀୟ ଏକ ଅଡିଓ ଟେପ୍ ତଦନ୍ତକାରୀ ପୋଲିସ ହାତରେ ଲାଗିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

