ଛତ୍ରପୁର ୮|୨: ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଥାନାରେ ହାଜର ପାଇଁ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ ହୋଇଛି । ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତ୍ରପୁର ଥାନାରେ ହାଜର ହେବାକୁ ଦୁହିଁଙ୍କୁ ନୋଟିସ୍ ହୋଇଛି । ଗତକାଲି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ୧ ମାସ ସମୟ ମାଗିଛନ୍ତି ଗୋଲକ ମହାପାତ୍ର । ଅନ୍ୟପକ୍ଷରେ ଆସନ୍ତାକାଲି ହାଜର ହେବାକୁ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ ଦିଆଯାଇଛି । ଏହି ମାମଲାରେ ଏବେ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି ପୋଲିସ ।
ବିଜେଡିର ଦୁଇ ଜଣ ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାଏକ ଓ ଅରୁଣ ସାହୁଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ସମନ କରିବା ପରେ ଛତ୍ରପୁରରେ ଘଟିଥିବା ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରାଯାଇଥିଲା । ଫଳରେ ଉଭୟ ଘଟଣାକୁ ରାଜନୈତିକ ଆକ୍ରୋଶ ବୋଲି କୁହାଯାଉଛି ।
୨୦୧୭ ସେପ୍ଟେମ୍ବର ୧୬ତାରିଖରେ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନିର୍ବାଚନକୁ କେନ୍ଦ୍ରକରି ବିବାଦ ଚାଲିଥିବାବେଳେ ଛତ୍ରପୁର ଏଲଆଇସି କଲୋନୀ ନିକଟରେ ଥିବା ଘର ଉପରକୁ ୨୦ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘରେ ପଶି ଲକ୍ଷ୍ମୀଦତ୍ତଙ୍କୁ ଟାଣି ଆଣି ଖଣ୍ଡା ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଲକ୍ଷ୍ମୀଦତ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀଦତ୍ତ ଛତ୍ରପୁର ଓ୍ବାର୍ଡ ନଂ ୬ର ବିଜେଡି କାଉନସିଲର ଥିଲେ ।