ସାମ୍ବାଦିକ ହତ୍ୟାକାଣ୍ଡ ମାମଲାରେ ଗୁରୁମିତ ରାମରହିମ ଦୋଷୀ ସାବ୍ୟସ୍ତ, ୧୭ରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ

Published By : Prameya-News7 Bureau | January 11, 2019 IST

ପଞ୍ଚକୁଲା ୧୧|୧:  ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ପଞ୍ଚକୁଲା ସ୍ବତନ୍ତ୍ର ସିବିଆଇ କୋର୍ଟ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ରାମରହିମଙ୍କ ସହ ଅନ୍ୟ ୪ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛି କୋର୍ଟ । ଆସନ୍ତା ୧୭ରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।

ରାମରହିମଙ୍କୁ ସୁନରିଆ ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ହିଂସାକାଣ୍ଡକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । କୋର୍ଟ ଆଖପାଖ ଅଞ୍ଚଳରେ ମଧ୍ୟ ପୋଲିସ ମୁତୟନ ଅଛନ୍ତି । ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ରାମରହିମଙ୍କୁ ଯେଉଁ ବିଚାରପତି ଦଣ୍ଡାଦେଶ ଶୁଣାଇଥିବା ବିଚାରପତି ଜଗଦୀପ୍ ସିଂହ ମଧ୍ୟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ ।

ଦୁଇ ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ସିରସା ଜିଲ୍ଲାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଖବରକାଗଜରେ ଏକ ରିପୋର୍ଟ ଲେଖିଥିଲେ । ଫଳରେ ରାମରହିମ ରାମଚନ୍ଦ୍ରଙ୍କୁ ବାରମ୍ବାର ଧମକ ଦେଉଥିଲେ । ପରେ ୨୪ ଅକ୍ଟୋବର ୨୦୦୨ରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ରାମଚନ୍ଦ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ୨୧ ନଭେମ୍ବର ୨୦୦୨ରେ ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ରଙ୍କ ମୃତ୍ୟୁ ଅଭିଯୋଗ ରାମରହିମଙ୍କ ନାଁରେ ରହିଥିଲା ।

ଏହି ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ରାମରହିମଙ୍କ ବ୍ୟତୀତ କୃଷ୍ଣ ଲାଲ୍, କୁଲଦୀପ ଏବଂ ନିର୍ମଳ ସିଂହଙ୍କ ଉପରେ ହତ୍ୟା ମାମଲା ରହିଛି । ରାମରହିମ ଦୁଇ ଜଣ ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବର୍ତ୍ତମାନ ସୁନରିଆ ଜେଲରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.