ଆଜି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା : ପୂଜା କଲେ ବଢ଼ିଥାଏ ଶକ୍ତି ଏବଂ ବୀରତା

Published By : Prameya-News7 Bureau | October 01, 2019 IST

ମାଆ ଦୁର୍ଗାଙ୍କ ତୃତୀୟ ଶକ୍ତିଙ୍କ ନାଁ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ରିର ତୃତୀୟ ଦିନ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ। ଅସୁରଙ୍କୁ ବିନାଶ କରିବା ଯୋଗୁଁ ମାଆ ଦୁର୍ଗାଙ୍କ ତୃତୀୟ ରୂପ ଭାବେ ଦେବୀ ଚନ୍ଦ୍ରଘଣ୍ଟା ପ୍ରକଟ ହୋଇଥିଲେ। ଦେବୀ ଚନ୍ଦ୍ରଘଣ୍ଟା ଭୟଙ୍କର ରାକ୍ଷସ ସେନାଙ୍କ ସଂହାର କରି ଦେବତାଙ୍କୁ ତାଙ୍କର ଭାଗ ପ୍ରଦାନ କରିଥିଲେ। ଦେବୀ ଚନ୍ଦ୍ରଘଣ୍ଟା ସମ୍ପୂର୍ଣ୍ଣ ଜଗତର ଦୁଃଖ ନାଶ କରିଥାଆନ୍ତି। ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ବାରା ଭକ୍ତଙ୍କ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ନବରାତ୍ରିର ତୃତୀୟ ଦିନରେ ଏହି ପୂଜାକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଛି।

 ଦେବୀଙ୍କ ସ୍ବରୂପ : ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶରୀର ସୁନା ଭଳି ତେଜମୟ। ତାଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ ରହିଛି,ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇଥାଏ। ତାଙ୍କର ୧୦ଟି ଭୁଜା ରହିଛି ଏବଂ ୧୦ଭୁଜାରେ ଅସ୍ତ୍ର-ଶସ୍ତ୍ର ରହିଛି। ଦେବୀଙ୍କ ହାତରେ କମଳ,ଧନୁତୀର,କମଣ୍ଡଳୁ,ଖଣ୍ଡା,ତ୍ରିଶୂଳ ଏବଂ ଗଦା ଭଳି ଅସ୍ତ୍ର ରହିଛି। ତାଙ୍କ କଣ୍ଠରେ ଧଳାଫୁଲର ମାଳା ଏବଂ ରତ୍ନଜଡ଼ିତ ମୁକୁଟ ମଥାରେ ବିରାଜମାନ ଥାଏ। ଦେବୀ ଚନ୍ଦ୍ରଘଣ୍ଟା ଭକ୍ତଙ୍କୁ ଅଭୟ ଦେଉଥିବା କଲ୍ୟାଣକାରୀ ଦେବୀ ବୋଲି ଗଣାଯାଇଥାଆନ୍ତି। ତାଙ୍କର ରୂପ ଏବଂ ଗୁଣ ଅନୁସାରେ ଆଜି ତାଙ୍କୁ ପୂଜା କରାଯିବ।

 ଦେବୀ ଚନ୍ଦ୍ରଘଣ୍ଟାଙ୍କ ମନ୍ତ୍ର :

‘ପିଣ୍ଡଜପ୍ରବରାରୂଢ଼ା ଚଣ୍ଡକୋପାସ୍ତ୍ରକୈର୍ଯୁତା।

ପ୍ରସାଦଂ ତନୂତେ ମଧ୍ୟଂ ଚନ୍ଦ୍ରଘଣ୍ଟାଣି ବିଶ୍ରୃତା।।

ପୂଜାର ମହତ୍ତ୍ବ :

ଚନ୍ଦ୍ରଘଣ୍ଟା ଶକ୍ତିର ପୂଜା ଏବଂ ସାଧନାଦ୍ବାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ। ତାଙ୍କୁ ପୂଜା କରିବା ଦ୍ବାରା ବୀରତା-ନିର୍ଭରତା ସହ ସୌମ୍ୟତା ଏବଂ ବିନମ୍ରତାର ବିକାଶ ହୋଇଥାଏ। ତାଙ୍କୁ ପୂଜା କରିବା ଦ୍ବାରା ମୁଖ,ନେତ୍ର ତଥା ସମ୍ପୂର୍ଣ୍ଣ ଶରୀରରେ ଉଚ୍ଚ୍ବଳତା ବଢ଼ିଥାଏ। କଣ୍ଠସ୍ବର ଦିବ୍ୟ ଏବଂ ମଧୁର ହୋଇଥାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ବାରା ଶାନ୍ତି ଏବଂ ସୁଖ ଅନୁଭବ ହୋଇଥାଏ। ମାଆ ଚନ୍ଦ୍ରଘଣ୍ଟା କୃପାରେ ସବୁ ପ୍ରକାର ପାପ ଏବଂ ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହୋଇଯାଇଥାଏ। ଭକ୍ତଙ୍କ କଷ୍ଟ ଖୁବ୍ ଶୀଘ୍ର ନିବାରଣ ହୋଇ ଯାଇଥାଏ। ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ବାରା ପରାକ୍ରମ ବଢ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.