ଜଗତସିଂହପୁର ମହାକାଳେଶ୍ୱର ମହାଦେବ ମନ୍ଦିରରୁ ମୂର୍ତ୍ତି ଚୋରି

Published By : Prameya-News7 Bureau | August 22, 2018 IST

ଜଗତସିଂହପୁର ୨୨/୮ : ଜଗତସିଂହପୁର ଜିଲ୍ଲା ସଦର ଥାନା ପଲ୍ଲୀ-ସିଙ୍ଗିପୁର ନିକଟରେ ଥିବା ମହାକାଳେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ୩ଫୁଟ ଉଚ୍ଚତାର ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବାର ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୁର୍ତ୍ତ ମନ୍ଦିର ଚଟାଣରେ ବସି ମଦ୍ୟପାନ କରିବା ସହିତ ମନ୍ଦିର ଗ୍ରୀଲ ଭାଙ୍ଗି ମନ୍ଦିର ମଧ୍ୟରେ ଥିବା ଅଷ୍ଟଧାତୁର ମୂଲ୍ୟବାନ ଗଣେଶ ଓ ପାର୍ବତୀ ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି । ଆଜି ସକାଳେ ଜଣେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ ପାଇଁ ଆସି ମୂର୍ତ୍ତି ଚୋରି ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକମାନଙ୍କୁ ଖବର ଦେଇଥିଲେ । ଦୁର୍ବୁର୍ତ୍ତମାନେ ମୂର୍ତ୍ତି ଚୋରି କରିଥିବା ବେଳେ ଘଟଣା ସ୍ଥଳରେ ଏକ ହଳ ଚପଲ,ମଦ୍ୟପାନ କରୁଥିବା ସ୍ଥଳରେ କିଛି ଖବର କାଗଜ,ବୋତଲ,ମିକଶ୍ଚର୍ ଆଦି ପଡିଥିବା ଦେଖାଯାଇଛି । ଏହି ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଖୁବ ଶୀଘ୍ର ମୂର୍ତ୍ତି ଉଦ୍ଧାର ସହିତ ଚୋରିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.