ଆଡ଼ଭାନ୍ସ କ୍ୟାନସରରେ ପୀଡିତ ଥାଇ ମଧ୍ୟ ଜନତାଙ୍କ ପାଇଁ କାମ କରୁଛନ୍ତି ପାରିକର
4/03/2019 at 6:26 PM

ପାଣାଜୀ ୪/୩ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବହୁତ ଦିନ ହେଲା ଅସୁସ୍ଥ ଅଛନ୍ତି | କିନ୍ତୁ ତାଙ୍କୁ କଣ ହେଇଚି ସେନେଇ ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ | ଗୋଆର କ୍ୟାବିନେଟ ମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଆଡ଼ଭାନ୍ସ କ୍ୟାନସର ହୋଇଛି | ତଥାପି ସେ ଜନତାଙ୍କ ପାଇଁ କାମ କରୁଛନ୍ତି | ଗତକାଲି ସରଦେଶାଇ ପାରିକରଙ୍କ ଅସୁସ୍ଥତା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ | ସେ ଗତକାଲି ପାରିକରଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ | ଏକ ସ୍ମଶାନ ନିର୍ମାଣ ପାଇଁ ଫଣ୍ଡ ଜାରି କରିବା ପାଇଁ ଏବଂ ଅନ୍ୟାନ୍ୟ ବିକାଶ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମଞ୍ଜୁରୀ ନେବା ପାଇଁ ସେ ପାରିକରଙ୍କ ବାସଭବନକୁ ଯାଇଥିଲେ |

ଏକ ସମାଚାର ଏଜେନ୍ସି ସୂଚନା ଅନୁଯାୟୀ, ରବିବାର ଦିନ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପାରିକରଙ୍କ ମେଡିକାଲ ଯାଞ୍ଚ କରାଯାଇଛି | ଯାଞ୍ଚ ପରେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥିଲେ ଡାକ୍ତର |

ସୂଚନାଯୋଗ୍ୟ ଯେ, ପାରିକର ପେନକ୍ରିୟାଟିକ କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ତାଙ୍କୁ ଗୋଆ, ମୁମ୍ବାଇ, ଦିଲ୍ଲୀ ସ୍ଥିତ ଏମ୍ସ ଏବଂ ଆମେରିକାରେ ମଧ୍ୟ ଚିକିତ୍ସା କରାଯାଇଥିଲା | କ୍ୟାନସର ପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗିଡ଼ିଥିବା ଦେଖିବାକୁ ମିଳିଛି | କିନ୍ତୁ କ୍ୟାନ୍ସର ଭଳି ରୋଗରେ ପୀଡିତ ହୋଇ ମଧ୍ୟ ପାରିକର ଆରାମ ନ କରି କାମ କରୁଛନ୍ତି | ବର୍ଷେରୁ ଅଧିକ ସମୟ ଧରି ତାଙ୍କର ଚିକିତ୍ସା ଚାଲିଛି |