ଖୁସି ଖବର: କରୋନାକୁ ମାତ୍ ଦେବାରେ ପ୍ରଥମ ରାଜ୍ୟ ହେଲା ଗୋଆ, ସୁସ୍ଥ ହେଲେ ସମସ୍ତ ରୋଗୀ
19/04/2020 at 5:09 PM

ପାଣାଜି ୧୯।୦୪: କରୋନା ଭାଇରସ୍ କାରଣରୁ ଗୋଟିଏ ପଟେ ଦେଶର ଗତି ଥମି ଯାଇ ଥିବା ବେଳେ ଏହା ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ରବିବାର ଦିନଟି ଭାରତର ତଟୀୟ ରାଜ୍ୟ ଗୋଆ ପାଇଁ ଆସିଛି ଉପଲବ୍ଧିଭରା ଖବର। କରୋନାକୁ ମାତ୍ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହୋଇଛି ଗୋଆ। ଏହି ରାଜ୍ୟରେ ସମସ୍ତ କରୋନା ଭାଇରସ୍ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ମୋଟ୍ ସାତ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ପୂର୍ବରୁ ଛଅ ରୋଗୀ ପୂର୍ବରୁ ସୁସ୍ଥ ହୋଇ ଯାଇଥିଲେ। ଶେଷ ରୋଗୀଙ୍କୁ ଆଜି ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଏହାର ସୂଚନା ଦେଇଛନ୍ତି। ସେ ଟୁଇଟ୍ କରିଛନ୍ତି ଯେ, ସନ୍ତୋଷ ଓ ଆଶ୍ଵସ୍ତିକର ଖବର ଏହା ଯେ, ଗୋଆର ଶେଷ ଆକ୍ଟିଭ୍ କରୋନା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଡାକ୍ତର ଓ ସହାୟକ କର୍ମଚାରୀ ପ୍ରଶଂସାର ଯୋଗ୍ୟ। ଗୋଆରେ ଏପ୍ରିଲ ୩ ପରଠୁ କୌଣସି ବି କରୋନା ପଜିଟିଭ୍ ରିପୋର୍ଟ ଆସିନାହିଁ।
ଗୋଆରେ କରୋନା ଭାଇରସ୍ର ପ୍ରଥମ ରୋଗୀ ମାର୍ଚ୍ଚ ୧୮ରେ ଚିହ୍ନଟ ହୋଇଥିଲା। ଦୁବାଇରୁ ଫେରିଥିବା ଜଣେ ନେତା ସର୍ବପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ। ଏପ୍ରିଲ ୩ ପର୍ଯ୍ୟନ୍ତ ରାଜ୍ୟରେ ସାତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠୁ ରାଜ୍ୟରେ ଆଉ କୌଣସି କୋଭିଡ୍-୧୯ ପଜିଟିଭ୍ ମାମଲା ସାମ୍ନାକୁ ଆସିନାହିଁ। ଏପ୍ରିଲ ୧୫ ସୁଦ୍ଧା ଛଅ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ରବିବାର ଆସିଥିବା ଶେଷ ରୋଗୀଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିଛି।
ଦେଶର ପ୍ରଥମ ଗ୍ରୀନ ଜୋନ ରାଜ୍ୟ ହେବା ପଥ ପରିଷ୍କାର
ଏବେ ଗୋଆ ଦେଶର ପ୍ରଥମ ଗ୍ରୀନ ଜୋନ୍ ରାଜ୍ୟ ହେବା ପଥ ପରିଷ୍କାର ହୋଇଛି। ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ବିଏଲ ସନ୍ତୋଷ ଟୁଇଟ୍ କରିଥିଲେ ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଯୋଜନା ଅନୁସାରେ ଗୋଆ ଏପ୍ରିଲ ୨୦ରେ ଦେଶର ପ୍ରଥମ ଗ୍ରୀନ ଜୋନ ରାଜ୍ୟରେ ପରିଣତ ହେବ।