ନୌସେନା ବିମାନରୁ ଡ୍ରପ ଟ୍ୟାଙ୍କ ପଡି ଗୋଆ ଏୟାରପୋର୍ଟରେ ଅଗ୍ନିକାଣ୍ଡ, ବିମାନ ଚଳାଚଳ ଠପ
8/06/2019 at 7:19 PM

ଗୋଆ, ୮।୬: ଗୋଆ ବିମାନବନ୍ଦରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ବିମାନଚଳାଚଳରେ ଗୁରୁତର ବାଧା ଉପୁଜିଥିବା ଜଣାପଡିଛି। ବିମାନ ବନ୍ଦରରୁ ଏକ ନୌସେନା ବିମାନ ମିଗ୍-୨୯ କେ ଉଡାଣ କରିଥିଲା। ଏହାର ଠିକ ପରେ ପରେ ଏହି ଅଗ୍ନିକାଣ୍ଡ ଘଟିଛି । ବିମାନରୁ ଡ୍ରପଟ୍ୟାଙ୍କ ତଳକୁ ଖସିପଡି ବିମାନବନ୍ଦରରେ ନିଆଁ ଲାଗିଯାଇଛି।

ତେବେ ଅଗ୍ନିକାଣ୍ଡରେ ନୌସେନା ବିମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ମିଗ୍ ବିମାନରେ ତୈଳ ମହଜୁଦ ରଖିବା ପାଇଁ ଏକ ପୃଥକ ଇନ୍ଧନ ଟାଙ୍କି ରହିଛି ।ଯାହାକୁ ଡ୍ରପ ଟ୍ୟାଙ୍କ କୁହାଯାଏ। ତେବେ ବିମାନ ଉଡାଣ କରିବା ପରେ ଅଚାନକ ଏହି ତୈଳ ଟାଙ୍କିଟି ବିମାନ ବନ୍ଦର ଉପରେ ଖସିପଡି ନିଆଁ ଲାଗିଯାଇଥିଲା।

ଅଗ୍ନିକାଣ୍ଡ ଯୋଗୁ ବିମାନ ବନ୍ଦରକୁ କର୍ତ୍ତୃପକ୍ଷ କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ। ତେବେ ଏହାର ସିଧା ଅସର ଏଠାକୁ ଆସୁଥିବା ଅନ୍ୟ ଯାତ୍ରୀବାହୀ ବିମାନ ଉପରେ ପଡିଛି। ତେବେ କିଛି ସମୟ ପରେ ବିମାନବନ୍ଦରକୁ ପୁଣି ଅନ୍ୟ ବିମାନ ଯାତାୟାତ ନିମନ୍ତେ ପ୍ରସ୍ତୁତ କରିଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।