ଆଗକୁ ତେଲ ଦର ଆହୁରି ଅସମ୍ଭାଳ ! ଅଶୋଧିତ ତୈଳ ବ୍ୟାରେଲ ୧୦୦ ଡଲାର ହେବ ବୋଲି ଚେତାଇଲେ ତେଲ କମ୍ପାନୀ CEO

Published By : Prameya-News7 Bureau | June 23, 2021 IST

କାତାର : ତୈଳ କ୍ଷେତ୍ରକୁ ନିବେଶ ହ୍ରାସର ପ୍ରଭାବ ଏବେ ବିଶ୍ୱରେ ଇନ୍ଧନ ଦରକୁ ପ୍ରଭାବିତ କରିପାରେ। କାତାରରେ ଅନୁଷ୍ଠିତ ‘ଇକୋନମିକ ଫୋରମ’ରେ ପ୍ରମୁଖ ତୈଳ କମ୍ପାନୀଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ମାନେ ଏହି ଆଶଙ୍କା କରିଛନ୍ତି। ଏଥିରେ ବଜାରର ଚାହିଦା ଓ ଯୋଗାଣ ସନ୍ତୁଳନ ରକ୍ଷା ହୋଇପାରୁନଥିବାରୁ ହୁଏତ କ୍ରୁଡ ବାରଲ ପିଛା ଦର ୧୦୦ ଡଲାରକୁ ଛୁଇଁପାରେ ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି।  ଏପରି ମୂଲ୍ୟବୃଦ୍ଧି ସ୍ୱଳ୍ପକାଳିକ ହୋଇପାରେ, ହେଲେ କ୍ରୁଡ ଦର ୧୦୦ ଡଲାର ଛୁଇଁବା କିନ୍ତୁ ନିଶ୍ଚିତ ବୋଲି ସେମାନେ ଅଗ୍ରୀମ ଆକଳନ କରିଛନ୍ତି।

ରୟାଲ ଡଚ୍ ସେଲ ପିଏଲସିଙ୍କ ସିଇଓ, ଟୋଟଲ ଏନର୍ଜୀଙ୍କ ଏସଇ ସମେତ ବ୍ୟସାୟୀ ଓ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇ କୋଭିଡ ପରବର୍ତ୍ତି ବିଶ୍ୱରେ ତୈଳ ମୂଲ୍ୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଗୋଟିଏ ପଟେ ତୈଳ କ୍ଷେତ୍ରର ବିକାଶ ଲାଗି ନିବେଶ ଆସୁନଥିବା ବେଳେ ଚାହିଦା ବୃଦ୍ଧି ଏବେ ବିଶ୍ୱ ତୈଳ ବଜାରକୁ ଅସନ୍ତୁଳିତ କରୁଛି। ଏଥିରେ ସାମୟିକ ସମୟ ଲାଗି ହେଉ ପଛେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ମୂଲ୍ୟ ଏହାର ସର୍ବୋଚ୍ଚ ସୀମାକୁ ପହଞ୍ଚିବା ଏକପ୍ରକାର ନିଶ୍ଚିତ ବୋଲି ସେମାନେ କହିଛନ୍ତି।

{"id":470129,"width":839,"height":420,"sizeSlug":"large","linkDestination":"none"}

ଏହି ଆକଳନକୁ ଏକ୍ସନ ମୋବାଇଲ କର୍ପୋରେସନ ସିଇଓ ଡାରେନ ଉଡସ୍‌ ମଧ୍ୟ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ  ଅର୍ଥନୀତି ପୁଣି ଉଠିବ ଓ ସେହି ଅନୁସାରେ ଚାହିଦା ମଧ୍ୟ ବଢିବ। ଏଣୁ ଆମେ ଯୋଗାଣ ଓ ଚାହିଦାକୁ ପୁଣି ସନ୍ତୁଳିତ କରିବା। ତେବେ ସେ ପର୍ଯ୍ୟନ୍ତ ଅଳ୍ପ ଅବଧିରେ ହୁଏତ କ୍ରୁଡ ମୂଲ୍ୟ ବୃଦ୍ଧି ଭଳି ପରିସ୍ଥିତି ଉପୁଜିପାରେ ବୋଲି ସେ କହିଛନ୍ତି। ତେବେ ଟ୍ରେଡିଂ ହାଉସ୍‌ ଟ୍ରାଫିଗୁରା ଗ୍ରୁପ ଏହି ମୂଲ୍ୟବୃଦ୍ଧି ହୁଏତ ଆଗାମୀ ବର୍ଷ ସମ୍ଭବ ବୋଲି କହିଛନ୍ତି। ତେବେ ଚଳିତବର୍ଷ ଏଥିଲାଗି ଏତେଟା ଚିନ୍ତାଜନକ ନ ହୋଇପାରେ ବୋଲି କହିଛନ୍ତି। 

କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଏବେ ବିଭିନ୍ନ ଦେଶରେ ବ୍ୟାପକ ଟିକାକରଣ ଚାଲିଛି। ଏଥିଲାଗି  ଚଳିତବର୍ଷ ତୈଳ ଆବଶ୍ୟକତା  ପ୍ରାୟ ୪୪ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା  ଗୋଲ୍ଡମ୍ୟାନ ସାକ୍ସ ଗ୍ରୁପ ଇନକ୍‌ କହିଛନ୍ତି। ବ୍ୟାଙ୍କ ଅଫ ଆମେରିକା କର୍ପୋରେସନ ମଧ୍ୟ  ସମାନ ଆକଳନ କରୁଛନ୍ତି। ଏବେ ନ୍ୟୁୟର୍କରେ ବେଞ୍ଚମାର୍କ କ୍ରୁଡ ବାରଲ ପିଛା ୭୪.୯୦ ଡଲାରରେ କାରବାର କରୁଛି। ତେବେ ଗତବର୍ଷ (୨୦୨୦) ବିଶ୍ୱ ତୈଳ ବଜାର ଲାଗି ସବୁଠୁ ଅଶାନ୍ତ ବର୍ଷ ଥିଲା। କରୋନା ଭାଇରସ ମହାମାରୀ ଲାଗି ବିଭିନ୍ନ ଦେଶଙ୍କ ତୈଳ ଚାହିଦା ହ୍ରାସ ମୂଲ୍ୟକୁ ଗୁରୁତର ପ୍ରଭାବିତ କରିଥିଲା।

{"id":470130,"width":836,"height":561,"sizeSlug":"large","linkDestination":"none"}

ଚଳିତବର୍ଷ ପରିସ୍ଥିତି ଭିନ୍ନ। ଏବେ ଆମେରିକା ରାସ୍ତାଘାଟରେ ପୁଣି ଗହଳି ହେଲାଣି। ବିମାନ ଉଡାଣ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ପାଶ୍ଚାତ୍ୟ ଅର୍ଥନୀତିରେ ଅଭିବୃଦ୍ଧି  ମଧ୍ୟ ଆସିଲାଣି। ହୁଏତ ଏଥିପାଇଁ କିଛି ସମୟ ନିମନ୍ତେ ଚାହିଦା ବୃଦ୍ଧି ଯୋଗୁ କ୍ରୁଡ ମୂଲ୍ୟ ବୃଦ୍ଧି ହୋଇପାରେ। ତେବେ ପରେ ପୁଣି ସବୁ ସ୍ୱଭାବିକ ହୋଇଯିବ ବୋଲି ଫୋରମରେ ଆଶାବ୍ୟକ୍ତ କରାଯାଇଛି। ହେଲେ ସ୍ୱଳ୍ପାବଧିରେ ହେଉନା କାହିଁକି କ୍ରୁଡ ମୂଲ୍ୟ ବୃଦ୍ଧି କମ୍ପାନୀଙ୍କୁ ସେମାନଙ୍କ ଏନର୍ଜି ଟ୍ରାଞ୍ଜିସନ ପ୍ଲାନରେ କାର୍ଯ୍ୟ କରିବା ଲାଗି ସହାୟକ ହେବା ସହ ଅଧିକ ନଗଦ ପ୍ରବାହ ଯୋଗୁ ସେୟାର ହୋଲ୍ଡରଙ୍କୁ ମଧ୍ୟ ଲାଭବାନ କରିବ ବୋଲି ବିପି ପିଏଲସିଙ୍କ ସିଇଓ ବର୍ଣ୍ଣାଡ ଲୁନି ଏହା ପୂର୍ବରୁ କହିଥିଲେ। ତେବେ କ୍ରୁଡ ବାରଲ ପିଛା ଦର ୧୦୦ ଡଲାରକୁ ପହଞ୍ଚିବାର ଆଶା କ୍ଷୀଣ ବୋଲି ଟୋଟଲ ଏନର୍ଜୀଙ୍କ ସିଇଓ ପ୍ୟାଟ୍ରିକ ପଏନେ କହିଛନ୍ତି। ସେ କହିଛନ୍ତି ଯେ ଏମିତିରେ ବି ଆମେ ଅସ୍ଥିର ବଜାର ସହ ଅଭ୍ୟସ୍ତ ହୋଇସାରିଲେଣି।  ହେଲେ ଆଗାମୀ ବର୍ଷମାନଙ୍କରେ ପୁଣି ଥରେ ଆମକୁ ଏପରି ପରିସ୍ଥିତିକୁ ହୁଏତ ଯିବାକୁ ପଡି ନପାରେ ସେଥିପାଇଁ ଆମେ ଏବେଠୁ ଆଶା କରିବା ଦରକାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.