ବିକଟାଳ ରୂପ ନେଉଛି କରୋନା, ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭।୦୬: ସମଗ୍ର ବିଶ୍ଵରେ ମହାମାରୀ କରୋନା ଭାଇରସ୍‌ ବିକଟାଳ ରୂପ ଧାରଣ କରିଛି। ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ମୃତକ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆମେରିକା ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ବ୍ରାଜିଲ ସରକାର ନିଜ ଦେଶରେ କରୋନା ମୃତ୍ୟୁ ଏବଂ ସଂକ୍ରମିତ ସଂଖ୍ୟା ସାର୍ବଜନୀନ ନକରିବାକୁ ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଆମେରିକା ଜନ ହପିକନ୍ସ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

ବ୍ରାଜିଲ ସରକାରଙ୍କ ଏହି ପଦକ୍ଷେପକୁ ଅନେକ ସମାଲୋଚନା କରିଛନ୍ତି। ଲାଟିନ ଆମେରିକାର ସବୁଠୁ ବଡ ଦେଶ କରୋନାର ବାସ୍ତବିକ ତଥ୍ୟ ଲୁଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ବ୍ରାଜିଲରେ ଶେଷ ଥର ସାର୍ବଜନୀନ ହୋଇଥିବା ତଥ୍ୟରେ ମୃତ୍ୟୁ ସଂଖ୍ୟା ୩୪ ହଜାରରୁ ଅଧିକ ଥିବା ଦର୍ଶାଯାଇଥିଲା। ବ୍ରାଜିଲ ମୃତ୍ୟୁ ମାମଲାରେ ଆମେରିକା, ବ୍ରିଟେନ୍ ପରେ ତୃତୀୟ ସ୍ଥାନରେ ରହିଥିଲା।

ଜନ ହପିକନ୍ସ ଅନୁସାରେ ଅତି କମରେ ୬.୯ ମିଲିୟନ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୧ ଲକ୍ଷ ୧୦ ହଜାରରୁ ଅଧିକ ରହିଛି। ଗତ ବର୍ଷ ଚୀନର ଉହାନରୁ ବ୍ୟାପିଥିବା ଏହି ଭାଇରସ୍‌ରେ ୟୁରୋପରେ ୧ ଲକ୍ଷ ୭୫ ହଜାର ସଂକ୍ରମିତ ହୋଇଛନ୍ତି।

{"id":282799,"sizeSlug":"large"}

ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ମାମଲାରେ ଭାରତ ଉପରେ ରହିଛି। ରବିବାର ଦେଶରେ ୯,୯୭୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଦେଶରେ ୧୦ ସପ୍ତାହର ଲକ୍‌ଡାଉନ୍ ପରେ ସପିଂ ମଲ୍, ହୋଟେଲ୍ ଓ ଧାର୍ମିକ ସ୍ଥଳ ଖୋଲିବାକୁ ପ୍ରସ୍ତୁତି ଚାଲିଛି।

ଦୁନିଆର ସର୍ବାଧିକ କରୋନା ପ୍ରଭାବିତ ତାଲିକାରେ ଭାରତ ସ୍ପେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉଠିଛି। ଆମେରିକାର ଜନ୍ସ ହପକିନ୍ସ ବିଶ୍ଵ ବିଦ୍ୟାଳୟ ଅନୁଯାୟୀ ଭାରତରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଘଟି ୨, ୪୫, ୬୭୦ରେ ପହଞ୍ଚିଛି। ଏହି ମହାମାରୀରେ ୬୬୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

ଗତ ୨୪ ଘଣ୍ଟାରୁ କମ୍‌ ସମୟରେ ଭାରତ ଏହି ମହାମାରୀ ମାମଲାରେ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଇଟାଲୀ ଓ ସ୍ପେନକୁ ଟପି ଯାଇଛି। ଏବେ ଆମେରିକା, ବ୍ରାଜିଲ, ରୁଷ ଓ ବ୍ରିଟେନ୍‌ ଭାରତଠୁ ଆଗରେ ଅଛନ୍ତି। ବିଶ୍ଵ ବିଦ୍ୟାଳୟର ତଥ୍ୟ ଅନୁଯାୟୀ ସ୍ପେନରେ ଅଦ୍ୟାବଧି ଏହି ମହାମାରୀରେ ୨ ଲକ୍ଷ ୪୧ ହଜାର ୩୧୦ ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.