ମାଞ୍ଚେଷ୍ଟର ୧୭/୦୯: କ୍ରିକେଟ୍ରେ ରେକର୍ଡ ରଚିବା ଓ ଭାଙ୍ଗିବା ସର୍ବଦା ଚାଲିଆସିଛି । କେହି ରେକର୍ଡ କରୁଥିବା ବେଳେ କେହି ଏହାକୁ ଟପି ଅନ୍ୟ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରୁଛି। ସେହିଭଳି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସଓ୍ବେଲ୍ ରଚିଛନ୍ତି ରେକର୍ଡ। ସବୁଠୁ କମ୍ ବଲ୍ରେ ୩୦୦୦ ରନ୍ ପୂରା କରିବାରେ ଏକ ନମ୍ବର ଖେଳାଳି ହୋଇଛନ୍ତି ମ୍ୟାକ୍ସଓ୍ବେଲ୍। ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ୯୦ ବଲ୍ରେ ୧୦୯ ରନ୍ କରିବା ସହ ଏହି ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ମ୍ୟାକ୍ସଓ୍ବେଲ୍।
ଏହାପୂର୍ବରୁ ଏକଦିବସୀୟ ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ୩୦୦୦ ରନ୍ ପୂରା କରିଥିବା ଖେଳାଳିଙ୍କ ଲିଷ୍ଟର ଶୀର୍ଷରେ ଥିଲେ ଇଂଲଣ୍ଡର ଓ୍ବିକେଟ୍ କିପର୍ ଜୋସ୍ ବଟଲର୍। ବଟ୍ଲର ୨୫୩୩ ବଲ୍ରେ ୩୦୦୦ ରନ୍ ପୂରା କରିଥିବା ବେଳେ ମ୍ୟାକ୍ସଓ୍ବେଲ୍ କେବଳ ୨୪୪୦ ବଲ୍ରେ ୩୦୦୦ ରନ୍ ପୂରା କରିବାରେ ସକ୍ଷମ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ତୃତୀୟ ଏକଦିବସୀୟରେ ଇଂଲଣ୍ଡ ବେୟରଷ୍ଟୋଙ୍କ ଶତକ ଓ ଓ୍ବିଲିଂଙ୍ଗସ୍ଙ୍କ ଅର୍ଦ୍ଧଶତକ ବଳରେ ୭ ଓ୍ବିକେଟ୍ ହରାଇ ୩୦୨ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମ୍ୟାକ୍ସଓ୍ବେଲ୍ଙ୍କ ୧୦୮ ରନ୍ ଓ ଆଲେକ୍ସ କ୍ୟାରିଙ୍କ ୧୧୪ ରନ୍ ବଳରେ ୪୯.୪ ଓଭରରେ ମ୍ୟାଚ୍ ଜିତିବାର ଲକ୍ଷ୍ୟ ହାସଲ କରିଛି।
ସେପଟେ ନିଜର ଦମଦାର ଶତକୀୟ ପାଳି ପାଇଁ କ୍ୟାପ୍ଟେନ ଆରୋନ୍ ଫିଞ୍ଚଙ୍କୁ ଶ୍ରେୟ ଦେଇଛନ୍ତି ମ୍ୟାକ୍ସଓ୍ବେଲ୍ । ପ୍ରଥମରୁ ଫିଞ୍ଚ ସ୍ପଷ୍ଟ ଥିଲେ ଯେ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତବ । ଯେଉଁଥିବା ପାଇଁ ଦୃଢ଼ ଭାବେ ଖେଳିବାକୁ ବଳ ମିଳିଲା ବୋଲି କହିଛନ୍ତି ଗ୍ଲେନ୍ ମ୍ୟାକ୍ସଓ୍ବେଲ୍। ତେବେ ଦମ୍ଦାର ଶତକ ପାଇଁ ମ୍ୟାନ୍ ଅଫ ଦି ମ୍ୟାଚ୍ ହାସଲ କରିବା ସହ ମ୍ୟାନ୍ ଅଫ ଦି ସିରିଜ୍ ଟ୍ରଫି ମଧ୍ୟ ହାତେଇଛନ୍ତି ମ୍ୟାକ୍ସଓ୍ବେଲ୍।