ଆମକୁ ୫ ବର୍ଷ ସମୟ ଦିଅନ୍ତୁ, ବିଜେପିକୁ ୨୫ ବର୍ଷ ଭୁଲିଯିବେ’ : ଅରବିନ୍ଦ କେଜରୀଓ୍ବାଲ

Published By : Prameya-News7 Bureau | February 26, 2021 IST

ସୁରତ ୨୬/୦୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଗୁଜରାଟର ସୁରତରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । କେଜରୀଓ୍ବାଲ କହିଛନ୍ତି, ‘ଆମକୁ ୫ ବର୍ଷ ସମୟ ଦିଅନ୍ତୁ, ବିଜେପିକୁ ୨୫ ବର୍ଷ ଭୁଲିଯିବେ’ । ଏହା ସହିତ ସେ କହିଛନ୍ତି,କଂଗ୍ରେସ ଏବଂ ବିଜେପିର ଭଲ ନେତାମାନେ ଦଳ ଛାଡି ଆମ୍‌ ଆଦମୀ ପାର୍ଟିରେ ଯୋଗଦିଅନ୍ତୁ । ଆଗାମୀ ଦିନରେ ଗୁଜରାଟରେ କିଛି ନା କିଛି ପରିବର୍ତ୍ତନ ହେବ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇ କେଜରୀଓ୍ବାଲ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଗୁଜରାଟରେ ହୋଇଥିବା ନଗରନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ୨୭ଟି ସିଟ୍‌ରେ ବିଜୟ ଲାଭ କରିଥିଲା । ଏହା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଗୋଟିଏ ମେଗା ରୋଡ୍‌ ସୋ କରିଛନ୍ତି । ସୁରତରେ ଆପ୍‌, ବିରୋଧୀ ଦଳ ଭାବେ ଉଭା ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କଂଗ୍ରେସ ସେଠାରେ ଖାତା ମଧ୍ୟ ଖୋଲିପାରିନାହିଁ ।

କେଜରୀଓ୍ବାଲ କହିଛନ୍ତି, କଂଗ୍ରେସ ଦଳ ଶେଷ୍‌ ହୋଇଯାଇଛି କିନ୍ତୁ କଂଗ୍ରେସରେ କିଛି ଭଲ ନେତା ଅଛନ୍ତି । ସେମାନେ ଦଳ ଛାଡି ଆପ୍‌ରେ ଯୋଗ ଦିଅନ୍ତୁ । ଏହା ସହିତ କେଜରୀଓ୍ବାଲ ବିଜେପି ନେତାମାନଙ୍କୁ ମଧ୍ୟ ଆମ୍‌ ଆଦମୀ ପାର୍ଟିରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

କେଜରୀଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଗୁଜରାଟରେ ଗାଁ ମାନଙ୍କରେ ଚାଷୀମାନଙ୍କୁ କେବଳ ୮ଘଣ୍ଟା ବିଜୁଳି ମିଳିଛି । ଅନେକ ଗାଁରେ କେବଳ ରାତିରେ ହିଁ ବିଜୁଳି ମିଳୁଛି । ଦିଲ୍ଲୀରେ ଲୋକମାନଙ୍କୁ ମାଗଣା ବିଜୁଳି ମିଳୁଛି ବୋଲି କହିଛନ୍ତି କେଜରୀଓ୍ବାଲ । ତାଙ୍କ ସରକାର ଆସିଲେ ଗୁଜରାଟରେ ମାଗଣା​‌ରେ ବିଜୁଳି ମିଳିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.