ସରକାରଙ୍କ ଘୋଷଣା, ସଡକରେ ଥିବା ଗାତର ସୂଚନା ଦିଅନ୍ତୁ ଓ ପୁରସ୍କାର ପାଆନ୍ତୁ
2/03/2020 at 4:10 PM

ଚଣ୍ଡିଗଡ ୦୨।ମାର୍ଚ୍ଚ- ସଡକରେ ଗର୍ତ୍ତ ପ୍ରତି ବର୍ଷ ଶତାଧିକ ସଡକ ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ପାଲଟିଛି। ଏବେ ଏହି ଦିଗ ପ୍ରତି ଗୁରୁତ୍ଵାରୋପ କରିଛନ୍ତି ହରିୟାଣା ସରକାର। ହରିୟାଣା ସରକାର ସଡକରେ ଥିବା ଗାତ ସମସ୍ୟାର ସମାଧାନ ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ସରକାର ସଡକରେ ଥିବା ଗର୍ତ୍ତର ସୂଚନା ଦେଲେ ସୂଚନାଦାତାଙ୍କୁ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
ହରିୟାଣା ସରକାର ହରପଥ ମୋବାଇଲ ଆପ୍ଲିକେସନ ଜାରି କରି ସଡକରେ ଥିବା ଗାତର ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୧୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଧରଣର ସୂଚନା ଦେବା ପାଇଁ ଲୋକଙ୍କୁ କେବଳ ନିଜର ମୋବାଇଲ ଫୋନରେ ହରପଥ ଆପ୍ଲିକେସନ ଡାଉନଲୋଡ୍ କରି ସେଥିରେ ନିଜ ଅଞ୍ଚଳର ସଡକରେ ଥିବା ଗାତର ଫଟୋ ଅପଲୋଡ୍ କରିବାକୁ ପଡିବ।
୯୬ ଘଣ୍ଟା ଭିତରେ ରାସ୍ତା ମରାମତି କରିବାକୁ ଆଦେଶ

ଏହି ଆପରେ ଗାତର ଫଟୋ ଅପଲୋଡ୍ ହେବା ପରେ ଜିଓ ମ୍ୟାପିଂ ଜରିଆରେ ସଡକର ସନ୍ଧାନ କରାଯିବ ଏବଂ ସମ୍ବନ୍ଧିତ ଠିକାଦାରଙ୍କୁ ୯୬ ଘଣ୍ଟା ଭିତରେ ସେହି ଗାତ ଭରିବାକୁ ଆଦେଶ ଦିଆଯିବ। ଯଦି ଠିକାଦାର ନିର୍ଦ୍ଧାରିତ ସମୟ ଭିତରେ ସେହି ଗାତର ମରାମତି ନକରନ୍ତି ତେବେ ତାଙ୍କ ଉପରେ ପ୍ରତିଦିନ ୧୦୦୦ ଟଙ୍କାର ଜୋରିମାନା ଲଗାଯିବ। ଜୋରିମାନା ରାଶିରୁ ଅଭିଯୋଗକାରୀଙ୍କୁ ୧୦୦- ୧୦୦ ଟଙ୍କା ଭାବେ କ୍ଷତିପୂରଣ ଦିଆଯିବ।
ରାଜ୍ୟ ସରକାର ଏହି ଯୋଜନାର ଘୋଷଣା ନିଜର ନୂତନ ବଜେଟରେ କରିଛନ୍ତି, ଯାହା ୨୦୨୦ ଏପ୍ରିଲ ୧ରେ ଲାଗୁ ହେବ। ଏହି ଯୋଜନା ଲାଗୁ ହେବା ପରେ କେବଳ ହରିୟାଣାର ସଡକର ଅବସ୍ଥାରେ ସୁଧାର ଆସିବ ନାହିଁ ବରଂ ଠିକାଦାରଙ୍କୁ ମଧ୍ୟ ଉତ୍ତରଦାୟୀ କରାଯିବ।
ଗାତ କାରଣରୁ ଅଧିକାଂଶ ହେଉଛି ସଡକ ଦୁର୍ଘଟଣା
ଉଲ୍ଲେଖଯୋଗ୍ୟ, ଭାରତରେ ହେଉଥିବା ସଡକ ଦୁର୍ଘଟଣା ପାଇଁ ସଡକରେ ଥିବା ଗାତ ଅନେକ ମାତ୍ରାରେ ଦାୟୀ। ଭାରତୀୟ ସଡକ ପରିବହନ ଏବଂ ରାଷ୍ଟ୍ରୀୟ ରାଜମାର୍ଗ ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୧୫, ୨୦୧୬, ୨୦୧୭ ଓ ୨୦୧୮ ସମୟରେ ସଡକରେ ଥିବା ଗାତ କାରଣରୁ ୨୯୩୦ ଲୋକଙ୍କ ପ୍ରାଣହାନୀ ଘଟିଛି ଏବଂ ୨୯ ହଜାର ଲୋକ ଆହତ ହୋଇଛନ୍ତି।
ସଡକରେ ଥିବା ଗାତ କାରଣରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ହରିୟାଣାରେ ସର୍ବାଧିକ ସଡକ ଦୁର୍ଘଟଣା ଘଟିଥାଏ। ୨୦୧୮ରେ ଗର୍ତ୍ତ କାରଣରୁ ଉତ୍ତର ପ୍ରଦେଶରେ ୧୦୪୩, ହରିୟାଣାରେ ୨୨୨ ଓ ମହାରାଷ୍ଟ୍ରରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।