'ପ୍ଲିଜ୍ ମୋତେ ଅକ୍ସିଜେନ୍ ଦିଅନ୍ତୁ', ହସ୍ପିଟାଲ ଗେଟ୍ ଆଗରେ କୋଭିଡ୍ ଆକ୍ରାନ୍ତଙ୍କ କରୁଣ ଚିତ୍କାର, କିନ୍ତୁ କେହି ଶୁଣିଲେନି

Published By : Prameya-News7 Bureau | April 27, 2021 IST

ଭୁବନେଶ୍ୱର, ୨୭|୦୪ : ଆଜ୍ଞା ମୋତେ ବଞ୍ଚାନ୍ତୁ । ମୁଁ ନିଶ୍ୱାସ ନେଇ ପାରୁନି । ମୋର ଦେହ କଣ ହୋଇଯାଉଛି । ଛାତି ରୁନ୍ଧି ଦେଉଛି । ମୋତେ ଅକ୍ସିଜେନ୍‌ ଦିଅନ୍ତୁ । ମୋତେ ବଞ୍ଚାନ୍ତୁ । ଦିନ ୧୦ଟାରୁ ସାଢ଼େ ୧୨ଟା ଯାଏ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଏଭଳି ଆକୁଳ ଆର୍ତ୍ତନାଦ କରୁଥିଲେ ଜଣେ କରୋନା ଆକ୍ରାନ୍ତ ।

ସୂଚନାନୁସାରେ, ସୁବ୍ରତ କୁମାର ନନ୍ଦ ନାମକ ଜଣେ ବ୍ୟକ୍ତି ଘରୋଇ ଲାବ୍‌ ଇନ୍‌ ଡିଏନଏରେ ଗତ ୨୪ ତାରିଖରେ ନିଜ କରୋନା ଟେଷ୍ଟ୍‌ କରାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିଥିଲା । ଘରେ ହୋମ୍‌ ଆଇସୋଲେସନ୍‌ରେ ରହିଲେ । କିନ୍ତୁ କାଲି ରାତିରୁ ଧୀରେ ଧୀରେ ସ୍ୱାସ୍ଥ୍ୟ ବିଗିଡ଼ିଲା । ସକାଳ ବେଳକୁ ଗୁରୁତର ହୋଇଗଲେ । ଅକ୍ସିଜେନ୍‌ ମାତ୍ରା ୭୦କୁ ଖସିଆସିଲା । ତୁରନ୍ତ ବିଏମ୍‌ସି ୧୯୨୯ ହେଲପଲାଇନ୍‌କୁ ଫୋନ୍‌ ଲଗାଇଲେ । ହେଇ ଯାଉଛୁ, ଆମ୍ବୁଲାନ୍ସ ଗଲାଣି..କହି ବେଶ୍‌ କିଛି ସମୟ ବିତିଗଲା । ସକାଳ ୧୦ଟା ବେଳକୁ ଆମ୍ବୁଲାନ୍ସ ଆସି ଘରେ ପହଞ୍ଚିଲା । ସିଧା ନେଇ ପାଣ୍ଡେରା ପାଖରେ ଥିବା ଏକ କୋଭିଡ୍‌ ହସ୍ପିଟାଲକୁ ଗଲା ।

ସାଢ଼େ ୧୦ଟା ବେଳକୁ ସେଠାରେ ପହଞ୍ଚିଗଲେ । କିନ୍ତୁ ହସ୍ପିଟାଲ ଭିତରକୁ ପୂରାଇବାକୁ ସିକ୍ୟୁରିଟି ମନା କଲା । ରୁହ । ଭିତରେ ଆଉ ବେଡ୍‌ ନାହିଁ । କାହାକୁ ପୂରାଇବାକୁ ସାର୍‌ ମନା କରିଛନ୍ତି । ଅପେକ୍ଷା କର । ଆମ୍ବୁଲାନ୍ସ ଅଧ ଘଣ୍ଟା ଯାଏ ସେମିତି ବାହାରେ ଅପେକ୍ଷା କରିଥାଏ । ଆମ୍ବୁଲାନ୍ସ ଭିତରେ ସୁବ୍ରତ ଅଣନିଶ୍ୱାସୀ ହୋଇ ପଡୁଥାଆନ୍ତି । ଧୀରେ ଧୀରେ ତାଙ୍କ ଯନ୍ତ୍ରଣା ଅସମ୍ଭାଳ ହେଲା । ନିଶ୍ୱାସ ବନ୍ଦ ହୋଇଗଲା ଭଳି ଲାଗିଲା । ଅଧ ଘଣ୍ଟା ଯାଇ ଘଣ୍ଟାଏ ବିତିଲା । କିନ୍ତୁ ହସ୍ପିଟାଲ ଭିତରକୁ ଯିବାକୁ ଦେଲେନି ।

ଆମ୍ବୁଲାନ୍ସର ଝରକା ପାଖରୁ ବିକଳ ଭାବେ ପାଟି କଲେ ସୁବ୍ରତ । ମୁଁ ନିଶ୍ୱାସ ନେଇପାରୁନି । ବିଏମ୍‌ସି ମୋତେ ଏହି ହସ୍ପିଟାଲ ରେଫର୍‌ କରିଛି । ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି କାହିଁକି? ବେଡ୍‌ ନଥିଲା ଯଦି ମୋତେ କାହିଁକି ଏଠିକି ଆଣୁଥିଲେ? ଆମ୍ବୁଲାନ୍ସ ଡ୍ରାଇଭର ଓ ହସ୍ପିଟାଲ ସିକ୍ୟୁରିଟିକୁ ଏଭଳି ଆକୁଳ ହୋଇ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଥାଆନ୍ତି ସୁବ୍ରତ । କିନ୍ତୁ ସେମାନେ ନାଚାର ବୋଲି କହୁଥିଲେ । ସିକ୍ୟୁରିଟି ଭିତରକୁ ଯାଇ ବୁଝିଥିଲେ, କିନ୍ତୁ ଭିତରକୁ ଯିବାକୁ ଅନୁମତି ମିଳୁନି ବୋଲି ଆସି କହିଲେ । ସୁବ୍ରତ୍‌ ଫୋନ୍‌ କରି ନିଜ ଘରକୁ ଜଣାଇଲେ । ଆଉ କିଛି ସମୟ ପରେ ପୁଣି ଚିତ୍କାର ଶୁଭିଲା । ପ୍ଲିଜ୍‌ ମୋତେ ବଞ୍ଚାନ୍ତୁ । ଅକ୍ସିଜେନ୍‌ ଦିଅନ୍ତୁ । ମୁଁ ଆଉ ପାରୁନି… । ସୁବ୍ରତ୍‌ଙ୍କ ଏହି ଆକୁଳ ଚିତ୍କାର କୋଭିଡ୍‌ ମୁକାବିଲାରେ ବିଏମ୍‌ସିର ସବୁ ବାହାସ୍ଫୋଟକୁ ତାଚ୍ଛଲ୍ୟ କରୁଥିଲା । ଇଏ କି ବିଚିତ୍ର ବ୍ୟବସ୍ଥା ବୋଲି ଭାବି ଖୋଦ୍‌ ଆମ୍ବୁଲାନ୍ସ ଡ୍ରାଇଭର ବି ଆଶ୍ଚର୍ଯ୍ୟ ହେଉଥିଲା ।

ସେପଟେ ସୁବ୍ରତଙ୍କ ଏଭଳି ଅବସ୍ଥା କଥା ଜାଣିବା ପରେ ତାଙ୍କ ଭଣଜା ସାଗର ସାମନ୍ତରାୟ ଟ୍ୱିଟ୍‌ କରି ବିଏମ୍‌ସିକୁ ଜଣାଇଥିଲେ । ବିଏମ୍‌ସି କମିଶନରଙ୍କ ପାଖରେ ବି କଥା ପହଞ୍ଚିଥିଲା । ପରେ ଗେଟ୍‌ ଖୋଲିଲା ଓ ସୁବ୍ରତ୍‌ଙ୍କୁ ଭିତରକୁ ନିଆଗଲା । କିନ୍ତୁ ସେତେବେଳକୁ ଦୀର୍ଘ ଦୁଇ ଘଣ୍ଟା ବିତି ସାରିଥିଲା । ଛଟପଟ ହେଉଥିଲେ ବି ସୁବ୍ରତଙ୍କ ସହ କୌଣସି ଅଘଟଣ ଘଟିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.