ପ୍ରେମକୁ ସ୍ବୀକୃତି ଦେଉନଥିଲା ଝିଅର ପରିବାର : ପ୍ରେମିଯୁଗଳଙ୍କୁ ନିସ୍ତୁକ ପିଟିଲେ, ଗଛରେ ଟାଙ୍ଗି ନୃଶଂସ ଭାବେ କଲେ ହତ୍ୟା

Published By : Prameya-News7 Bureau | January 29, 2021 IST

ବରେଲୀ ୨୯/୦୧ : ଉତ୍ତର ପ୍ରଦେଶରେ ପୁଣି ଏକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ପିଟିବା ପରେ ଗଛରେ ଟାଙ୍ଗି ହତ୍ୟା କରାଯାଇଥିବା ଭଳି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ମିରଗଞ୍ଜରେ ଏହି ଭୟଙ୍କର ଘଟଣା ଘଟିଛି ।

ସୂଚନା ଅନୁସାରେ ମୃତକ ନାବାଳିକା ଝିଅର ପରିବାର ଲୋକେ ଉଭୟଙ୍କ ସମ୍ପର୍କକୁ ବିରୋଧ କରିଆସୁଥିଲେ । ପ୍ରେମିକ ଦିବ୍ୟନନ୍ଦ ଗଙ୍ଗଓ୍ବାର ସ୍ନାତକ ପ୍ରଥମ ବର୍ଷ ଏବଂ ନାବାଳିକା ପ୍ରେମିକା ଏକାଦଶ ଶେଣ୍ରୀର ଛାତ୍ରୀ ଥିଲେ । ପିତାଙ୍କ ମୃତ୍ୟୁ ପରେ ଦିବ୍ୟନନ୍ଦ ନିଜ ମାମୁଁଙ୍କୁ ବିଭିନ୍ନ କାମରେ ସହଯୋଗ କରୁଥିଲେ ।

ତେବେ ଘଟଣା ଦିନ ଦିବ୍ୟନନ୍ଦ ଜମିରେ କାମ କରୁଥିଲେ । ସେହି ସମୟରେ ଝିଅର ବାପା ତେଜରାମ, ଭାଇ ଟିଙ୍କୁ ଏବଂ ମାମୁଁ ମଧ୍ୟ ନିକଟରେ ଥିବା ଜମିରେ କାମ କରୁଥିଲେ । ସେଠାରେ ଦିବ୍ୟନନ୍ଦଙ୍କ ପ୍ରେମିକା ମଧ୍ୟ ଉପସ୍ଥିତ ଥିଲେ । ତେବେ ଉଭୟ ଆଖି ଠରାଠରି ହୋଇ ଇସାରାରେ କଥା ହେଉଥିବା ଜାଣିପାରିଥିଲେ ପରିବାର ଲୋକେ ।

ଏହା ପରେ ପରିବାର ଲୋକେ ଉଭୟଙ୍କୁ ପଡିଆରେ ନିସ୍ତୁକ ପିଟିବା ସହିତ ନିକଟରେ ଥିବା ଏକ ଗଛରେ ଟାଙ୍ଗି ହତ୍ୟା କରିଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ ପହଞ୍ଚିଥିଲା । ତେବେ ମୃତକ ଦିବ୍ୟନନ୍ଦଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ମଧ୍ୟ ଏକ ଅଭିଯୋଗ କରାଯାଇଛି । ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.