ଫୁଲ ବିକି ପରିବାର ଚଳାଉଛନ୍ତି, ସମୟ ବାହାର କରି ଅନଲାଇନ୍‌ କ୍ଲାସ ବି କରୁଛନ୍ତି, ଇଚ୍ଛା ଡାକ୍ତର ହୋଇ ଲୋକଙ୍କ ସେବା କରିବେ

Published By : Prameya-News7 Bureau | July 01, 2021 IST

ବେଙ୍ଗାଲୁରୁ ୦୧/୦୭ : ଲକ୍ଷ୍ୟ ଡାକ୍ତର ହୋଇ ସେବା କରିବେ, ପରିସ୍ଥିତି ଯାହାବି ହେଉ ଯେତେ କଷ୍ଟ କରିବାକୁ ପଡୁ ବରଂ ଲକ୍ଷ୍ୟରୁ କେବେ ବିଚ୍ୟୁତ ହେବେ ନାହିଁ । ସେଥିପାଇଁ ତ ଗତ ୫ ବର୍ଷ ହେଲା ମନ୍ଦିର ବେଢାରେ ବସି ଫୁଲ ବିକ୍ରି କରୁଛନ୍ତି । ସେହିଠାରେ ହିଁ ପାଠ ପଢୁଛନ୍ତି । ବେଙ୍ଗାଲୁରୁ ସମ୍ପନଗିରମ ନଗର ଅଞ୍ଚଳର ଜଣେ ଆଶାୟୀ ଡାକ୍ତରୀ ଛାତ୍ରୀ ବନଶଙ୍କରୀ ଏଚ୍‌ । ସକାଳ ହେବା କ୍ଷଣି ଫୁଲ ଧରି ବାହାରି ଯାଆନ୍ତି ଶକ୍ତି ଦେବତୀ ମନ୍ଦିର ପ୍ରାଙ୍ଗଣକୁ । ସେଠାରେ ଭକ୍ତଙ୍କୁ ଫୁଲ ବିକ୍ରି କରନ୍ତି । ସମୟ ମିଳିଲେ ବହି ବାହାର କରି ପାଠବି ପଢନ୍ତୁ । ଦିନେ କି ଦୁଇ ଦିନ ନୁହେଁ ଗତ ୫ ବର୍ଷ ହେଲା ସେ ଡାକ୍ତରୀ ପାଠ ପଢିବା ପାଇଁ ଏପରି ପରିଶ୍ରମ କରୁଛନ୍ତି ।

ନିକଟରେ ସ୍ଥାନୀୟ ନାଗରିକ ସଂସ୍ଥାର ମୁଖ୍ୟ କମିଶନର ଗୌରଭ ଗୁପ୍ତାଙ୍କ ନଜରରେ ପଡିଥିଲେ ବନଶଙ୍କରୀ ଏଚ୍‌ । ଏଭଳି ସ୍ଥିତି ଦେଖିବା ପରେ ପାଠ ପଢିବାକୁ ଆହୁରି ସହଜ କରିବା ପାଇଁ ଲାପ୍‌ଟପ୍‌ କିଣିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସକାଳ ୮ଟା ଠାରୁ ଦିନ ୨ ଟା ଯାଏଁ ଫୁଲ ଦୋକାନରେ ରୁହନ୍ତି । ସେହିଠାରେ ହିଁ ପାଠ ପଢନ୍ତି । ଘରକୁ ଫେରିବା ପରେ ପୁଣି ଆରମ୍ଭ କରିଦିଅନ୍ତି ପାଠପଢା । ବନଶଙ୍କରୀ ଯେ କି ମିତ୍ରାଳୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଗକୁ ଡାକ୍ତର ହେବାକୁ ଉଚ୍ଛା ରଖିଛନ୍ତି ।

ସେ କହିଛନ୍ତି, ‘ ବର୍ତ୍ତମାନ ଖୁବ ପରିଶ୍ରମ କରୁଛି । ଆଗକୁ କିପରି ପାଠପଢିବି ତାହା ଜଣାନାହିଁ କିନ୍ତୁ ପାଠପଢିବା ଜାରି ରଖିଛି । ଆଗକୁ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବାକୁ ଲକ୍ଷ୍ୟ ରହିଛି । ଆଗରୁ ଡାକ୍ତର ହେବାକୁ ଏତେଟା ଆଗ୍ରହ ନଥିଲା କିନ୍ତୁ କରୋନା ମହାମାରୀ ସମୟରେ ଯେଉଁଭଳି ଭାବେ ଲୋକମାନେ ଅସହାୟ ହୋଇପଡୁଥିଲେ ଏବଂ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଥିଲା ତାହା ଦେଖି ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବାକୁ ମନ ବଳାଇଥିଲା ।’   

ବନଶଙ୍କରୀଙ୍କ ପରିବାର ଆର୍ଥିକ ସ୍ଥିତି ମଧ୍ୟ ଖରାପ । ତାଙ୍କ ମା ବାପା ଜଣେ ବୁଣାକାର ହୋଇଥିବା ବେଳେ ତାଙ୍କ ଭାଇ ଜଣେ ସେଲସମ୍ୟାନ ଭାବେ କାର୍ଯ୍ୟକରନ୍ତି । କରୋନା ମହାମାରି ସମୟରେ ସବୁକିଛି ଠପ୍‌ ହୋଇଯାଇଛି । ପରିବାରର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ମନ୍ଦିରରେ ଫୁଲ ବିକ୍ରି କରି ଯାହା ରୋଜଗାର ହୁଏ ସେଥିରେ ବନଶଙ୍କରୀ ପରିବାର ଚଳାଇବା ସହିତ ନିଜ ପଢା ଖର୍ଚ୍ଚ ମଧ୍ୟ ବହନ କରନ୍ତି । କରୋନା ମହାମାରୀରେ ସ୍କୁଲ କଲେଜ ବନ୍ଦ ଥିବାରୁ ଏନେ ପାଠପଢା ପାଇଁ କେବଳ ଅନଲାଇନ କ୍ଲାସ୍ ହିଁ ଭରଷା । କିନ୍ତୁ ଏଥିପାଇଁ ସ୍ମାର୍ଟ ଫୋନର ଆବଶ୍ୟକତା ଥିବାରୁ ଫୁଲ ବିକ୍ରି କରି କିଛି ଟଙ୍କା ସଞ୍ଚୟ କରି ମୋବାଇଲ କିଣିଥିଲେ । କିନ୍ତୁ ଫୋନର କ୍ଲାରିଟି ଭଲ ନଥିବାରୁ ସଠିକ ଭାବେ ପାଠ ପଢିହେଉନଥିଲା ।  ଏହି ଘଟଣା କମିଶନର ଗୌରମ ଗୁପ୍ତାଙ୍କ ନଜରକୁ ଆସିବା ପରେ ସେ ଏକ ଲାପ୍‌ଟପ୍‌ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସତରେ ବନଶଙ୍କରୀଙ୍କ କଠୋର ପରିଶ୍ରମ, ପାଠ ପଢିବାର ଆଗ୍ରହ ଏବଂ ସେବା ମନବୃତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.