ପ୍ରେମିକକୁ ବିବାହ କରିବାକୁ ଜିଦ୍‌ ଧରିଥିଲା ଭଉଣୀ, ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରିଦେଲା ଭାଇ

Published By : Prameya-News7 Bureau | October 24, 2020 IST

ଜୟପୁର ୨୪/୧୦: ପ୍ରେମର କରୁଣ ପରିଣତି। ଭଉଣୀ ପ୍ରେମକୁ ସହଜରେ ଗ୍ରହଣ କରିପାରିଲାନି ଭାଇ। ବଂଶ, ପରମ୍ପରା ଓ ଆଭିଯାତ୍ୟ ମୋହରେ ନିଜ ଭଉଣୀକୁ ଜୀବନରୁ ମାରିବାକୁ ବି ପଛାଇଲାନି ଅମଣିଷ ଭାଇ। ନିଜ ପ୍ରେମକୁ ପାଇବାକୁ ଜିଦ କରିଥିଲା ଭଉଣୀ । ଭାଇ ଜିଦ୍‌ ପୂରଣ କରିବା ତ ଦୂରର କଥା ବୁଝାଇବାକୁ ବି ଚେଷ୍ଟା କରିନଥିଲା। ଭଉଣୀର ମୁଣ୍ଡକୁ ଚଟାଣରେ ବାଡ଼େଇ ବାଡ଼େଇ ହତ୍ୟା କରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଅଲଓ୍ବାର ଜିଲ୍ଲାରେ।

ଶୁକ୍ରବାର ରାତି ୨ଟାରେ ନିଜ ଭଉଣୀକୁ ହତ୍ୟା କରିଛି ଭାଇ।  ପରେ ବାହାରକୁ ଯାଇଥିବା ବାପା-ମାଙ୍କୁ ଫୋନ୍ କରି ଡାକି ଭଉଣୀକୁ ହତ୍ୟା କରିଥିବା କହିଥିଲା ଅଭିଯୁକ୍ତ। କିନ୍ତୁ ଏକଥାକୁ ଅଭିଯୁକ୍ତଙ୍କ ବାପା-ମା ବିଶ୍ବାସ କରିନଥିଲେ ବୋଲି ପୋଲିସ କହିଛି।

ଶୁକ୍ରବାର ଅପରାହ୍ନରେ କ୍ଷୀରବାଲା ପାଖରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଭଉଣୀର ମୃତଦେହ ପାଖରେ ଚୁପଚାପ ବସିଥିବା ଦେଖିବାକୁ ପାଇଥିଲା। ଅଭିଯୁକ୍ତର ନାଁ ପବନ ହୋଇଥିବା ବେଳେ ବୟସ ୨୪। ଘଟଣାସ୍ଥଳକୁ ନିରୀକ୍ଷଣ କରିବା ପରେ ଜଣାପଡ଼ିଲା ଯେ ପବନ ନିଜ ଭଉଣୀର ମୁଣ୍ଡକୁ ଚଟାଣରେ ବାଡ଼େଇ ବାଡ଼େଇ ହତ୍ୟା କରିଛି। ଏନେଇ ବିଓ୍ବାଡି ଥାନାର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭଉଣୀକୁ ମାରିବା ପରେ ପବନ ପାଖରେ ଥିବା ଏକ ଏସି ରିପାୟର ଦୋକାନକୁ ଯାଇଥିଲା। ଯେଉଁଠି ବିଷ୍ଣୁ ନାମକ ଜଣେ ଯୁବକ କାମ କରୁଥିଲେ। ତେବେ ପବନର ଭଉଣୀ ଓ ବିଷ୍ଣୁ ପରସ୍ପରକୁ ଭଲ ପାଉଥିବା ଜଣାପଡ଼ିଥିଲା। ଏଥିରେ କିନ୍ତୁ ପରିବାର ଲୋକେ ଆଦୌ ଖୁସିନଥିଲେ। ସବୁ ବେଳେ ପରିବାରରେ ଝଗଡ଼ା ମଧ୍ୟ ଲାଗି ରହୁଥିଲା। ପରେ ବିଷ୍ଣୁ ପବନ ଦୋକାନରେ କାମ କରିବା ବନ୍ଦ କରିଦେଇଥିଲା। ତାପରେ ମଧ୍ୟ ପବନଙ୍କ ଭଉଣୀ ବିଷ୍ଣୁଙ୍କୁ ହିଁ ବାହା ହେବାକୁ ଜିଦ ଧରିଥିଲେ ବୋଲି ପୋଲିସ କହିଛି । ପବନକୁ ଗିରଫ କରାଯାଇଥିବା ବେଳେ ପରବର୍ତ୍ତୀ ତଦନ୍ତ ଚାଲୁ ରହିଛି ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.