ମାମୁଁ ଘରକୁ ଯିବାବେଳେ ଅପହରଣ କରିନେଲେ, ୪ ଦିନ ଧରି ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗିଦେଲେ

Published By : Prameya-News7 Bureau | May 28, 2021 IST

ସାଗର ୨୮।୫: ମାମୁଁ ଘରକୁ ଯିବା ପାଇଁ ଘରୁ ବାହାରିଥିଲେ ଯୁବତୀ । ମଧ୍ୟପ୍ରଦେଶ ସାଗରର ଏକ ଗାଁରେ ୩ ଜଣ ଯୁବକ ତାଙ୍କୁ ଅପହରଣ କରିନେଇ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ତାଙ୍କୁ ୟୁପିର ଲଲିତପୁର-ସାଗର ଜାତୀୟ ରାଜପଥରେ ଫିଙ୍ଗି ପଳାଇ ଯାଇଥିଲେ । ଏହି ୩ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ବାଣପୁର ଥାନା ଅଞ୍ଚଳର ଏକ ଗାଁର ଜଣେ ଯୁବତୀ ତାଙ୍କ ମାମୁଁ ଘରକୁ ଯିବାପାଇଁ ଘରୁ ବାହାରି ଯାଇଥିଲେ । ବାଟରେ ସୁର୍ଯ୍ୟପୁରା ନିବାସୀ ଅରବିନ୍ଦ ଏବଂ ମହରୌନୀ, କୋତୱାଲି ନିବାସୀ ସୋନୁ ତାଙ୍କୁ ଧମକ ଚମକ ଦେଇ ବାଇକରେ ବସାଇ ନେଇଯାଇଥିଲେ । ଦୁହେଁ ଯୁବତୀଙ୍କୁ ସାଗର ଅଞ୍ଚଳର ଗୁରୁୟାନା ଗାଁକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଏକ ଅବ୍ୟବହୃତ ଘରେ ବନ୍ଧକ ରଖିଥିଲେ । ସେଠାରେ ଅରବିନ୍ଦ, ସୋନୁଙ୍କ ବ୍ୟତୀତ ସାଗରର କଲୁ ଓରଫ କଲ୍ୟାଣ ଡାଙ୍ଗି ତାଙ୍କୁ ୪ ଦିନ ଧରି ଦୁଷ୍କର୍ମ କରିଥିଲେ ।

ଗୁରୁବାର ବିଳମ୍ବିତ ରାତିରେ ୩ ଜଣ ତାଙ୍କୁ ଆଣି ଲଲିତପୁର-ସାଗର ଜାତୀୟ ରାଜପଥରେ ଥିବା ସତରଓ୍ବାସ ନିକଟରେ ଫିଙ୍ଗି ପଳାଇ ଯାଇଥିଲେ । ପୋଲିସ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କ ବୟାନ ଆଦାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯୁବତୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଅଧୀକ୍ଷକ ପ୍ରମୋଦ କୁମାର ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୫ଟି ଟିମ୍ ଗଠନ କରିଥିଲେ । ଶେଷରେ ପୋଲିସ ଏହି ୩ ଅଭିଯୁକ୍ତକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.