ବିଷ ପିଇ ଆତ୍ମହତ୍ୟା କଲା ଝିଅ, ସୁଇସାଇଡ୍‌ ନୋଟ୍‌ରେ ଲେଖିଯାଇଛି- ‘ପାପା-ମମି ମୋ ମୃତ୍ୟୁର ପ୍ରତିଶୋଧ ନେବ’

Published By : Prameya-News7 Bureau | November 07, 2020 IST

ଝାନ୍ସି ୭/୧୧: ମମି-ପାପା ମୋ ମୃତ୍ୟୁର ପ୍ରତିଶୋଧ ନେବ…।ମୁଁ ତୁମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି। କିନ୍ତୁ ଏବେ ଦୁନିଆ ଛାଡ଼ି ଯାଉଛି। ତୁମେମାନେ ନିଜକୁ ସମ୍ଭାଳିନେବ। ଏଭଳି କିଛି ଦୁଃଖଭରା ବେଦନା ଏକ କାଗଜରେ ବ୍ୟକ୍ତ କରି ବିଷ ପିଇ ଆତ୍ମହତ୍ୟା କରିଦେଲା ଝିଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଝାନ୍ସିରେ।

ଝାନ୍ସିର ଏରଚ୍‌ ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ବିଷ ପିଇ ଆତ୍ମହତ୍ୟା କରିଛି। ନିଜର ଆତ୍ମହତ୍ୟା ପାଇଁ ସେହି ଗାଁର ଆକାଶ ନାମକ ଏକ ପିଲାକୁ ଦାୟୀ କରିଛି ନାବାଳିକା। ସବୁଦିନ କୋଚିଂରୁ ଘରକୁ ଫେରିବା ବେଳେ ଆକାଶ ତାଙ୍କୁ ହଇରାଣ ହରକତ କରେ। ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଆକାଶର ପରିବାରକୁ ଜଣାନ୍ତି। କିନ୍ତୁ କିଛି ଲାଭ ମିଳେନି।

ଶୁକ୍ରବାର ମଧ୍ୟ ସମାନ ଘଟଣା ଘଟିଥିଲା। ଝିଅଟି କୋଚିଂରୁ ଫେରିବା ବେଳେ ବାଟରେ ଆକାଶ ବହୁତ ହଇରାଣ କରିଥିଲା। ଏକଥା ଜାଣିବା ପରେ ଝିଅର ବାପା-ମା ଆକାଶର ବାପା-ମାଙ୍କୁ କହିଥିଲେ। କିନ୍ତୁ ପୁଅ ନାଁରେ ବାରମ୍ବାର ଅଭିଯୋଗ ଶୁଣି ବିରକ୍ତ ହୋଇଥିବା ଯୋଗୁ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲା ଝିଅଟି।

ସମସ୍ୟା ସମାଧାନ ନହୋଇପାରିବାରୁ ଝିଅଟି ବିଷ ପିଇ ଆତ୍ମହତ୍ୟା କରିଥିଲା। ପରେ ତା ବ୍ୟାଗରୁ ଏକ ସୁଇସାଇଡ୍‌ ନୋଟ ମିଳିଥିଲା। ସେଥିରେ ଲେଖାଥିଲା, ‘ମୋ ଆତ୍ମହତ୍ୟାର କାରଣ କେବଳ ଆକାଶ ଓ ତାର ପରିବାର। ପାପା-ମମି ନିଜକୁ ସମ୍ଭାଳିବ ଓ ମୋର ମୃତ୍ୟୁର ପ୍ରତିଶୋଧ ନେବ।ମୁଁ ଚାହୁଁଥିଲି ତୁମାମାନଙ୍କ ନାଁ ଆଗକୁ ନେବି।’

ତେବେ ଶନିବାର ବିଷ ପିଇ ଗୁରୁତର ହୋଇଥିବା ଝିଅକୁ ବାପା-ମା ହସ୍ପିଟାଲ ନେଇଥିଲେ। କିନ୍ତୁ ଆଜି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସେପଟେ ଏସପି ଦିନେଶ କୁମାର କହିଛନ୍ତି ଅଭିଯୁକ୍ତ ଆକାଶକୁ ୩ଟି ପୋଲିସ୍‌ ଟିମ୍‌ ଖୋଜୁଛି। ଖୁବଶୀଘ୍ର ଆକାଶକୁ ପୋଲିସ ଗିରଫ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏସପି ଦିନେଶ କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.