Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିଶୁପାଳ ହୋଇ ଫେରିଲା ମଦୁଆ ବର : ବାହା ହେବାକୁ ମନା କରି ବେଦୀରୁ ଉଠିଆସିଲା ମଙ୍ଗୁଳା କନ୍ୟା

14/05/2019 at 3:45 PM

ସମ୍ବଲପୁର (ନୀଳାଚଳ ମହାପାତ୍ର) ୧୪|୫: ଶିଶୁପାଳ ହୋଇ ଫେରିଲା ମଦୁଆ ବର । ବାହା ହେବାକୁ ମନା କରି ବେଦୀରୁ ଉଠିଆସିଲା ମଙ୍ଗୁଳା କନ୍ୟା । ଜୀବନ ସାରା ଅବିବାହିତା ରହିବ ପଛେ ଏଭଳି ମଦୁଆକୁ ବାହା ହେବନି ବୋଲି ରୋକ୍ ଠୋକ୍ ଶୁଣାଇଦେଲା କନ୍ୟା । ଏଭଳି ଘଟଣା ଘଟିଛି ସମ୍ବଲପୁର ଯୁଯୁମରା ଗୋବର୍ଦ୍ଧନ ବଡମାଳ ଗାଁରେ ।

ସମ୍ବଲପୁର ଯୁଯୁମରା ଗୋବର୍ଦ୍ଧନ ବଡ଼ମାଳ ଗାଁରୁ ଶିଶୁପାଳ ହୋଇ ଫେରିଲା ବର । ଗାଁର ଭିକ ଭୁଏଙ୍କ ଝିଅ ମମତାଙ୍କ ବାହାଘର ଥିଲା ।  ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ବେଳେ  ବାରମ୍ବାର ଢଳି ପଡ଼ୁଥିଲେ ବର ସୁରେନ୍ଦ୍ର । ସୁରେନ୍ଦ୍ର, ବରଯାତ୍ରୀଙ୍କ ସହ ରାସ୍ତାରେ ପ୍ରଚୁର ମଦ ପିଇଥିଲା । ଏନେଇ କନ୍ୟା ପିତା ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ, ମାଡମାରିବାକୁ ଉଠିପଡିଥିଲା ମାତାଲ୍ ବର ।

ଏହାପରେ ବେଦୀରୁ ଉଠି ପଡ଼ିଥିଲା କନ୍ୟା । ସେତେବେଳକୁ ମଦୁଆ ବର ସୁରେନ୍ଦ୍ରର ନିଶା ଛାଡି ଯାଇଥିଲା। ସେ  କନ୍ୟାର ଗୋଡ ତଳେ ପଡି ନିଜ ଭୁଲ ସ୍ବୀକାର କରିଥିଲା । ତଥାପି ମମତା ନିଜ ଜିଦ୍‌ରେ ଅଟଳ ଥିଲେ । ଆଉ ଶେଷରେ ଶିଶୁପାଳ ହୋଇ ଫେରିଥିଲା ମଦୁଆ ସୁରେନ୍ଦ୍ର ।

ମମତାଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ ଗଣ୍ଡ୍‌ ସମାଜ ଭୁରିଭୁରି ପ୍ରସଂଶା କରିଛି । ଗଣ୍ଡ ସମାଜ କହିଛି ଯିଏ ବାହା ବେଦୀକୁ ମାତାଲ୍ ହେଇ ଆସୁଛି, ସିଏ କି ଘର ସଂସାର କରିବ। ଉଭୟ ବରଘର ପରିବାର,କନ୍ୟାଘର ପରିବାର,ଗଣ୍ଡ ସମାଜ ମିଳିତ ଭାବରେ ଲିଖିତ ଆକାରରେ ଚୁକ୍ତି କରି ଏହି ବିବାହ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ମମତା ବେଶୀ ପାଠ ପଢ଼ିନାହାନ୍ତି । ତେବେ ମଦୁଆ ବରକୁ ରୋକ୍ ଠୋକ୍ ପ୍ରତ୍ୟାଖାନ କରି ନିଜ ଭବିଷ୍ୟତକୁ ନିଶ୍ଚିତ ସୁରକ୍ଷିତ ରଖିଛନ୍ତି ।

   Related Posts