ଏବେ ଠାକୁର ଭରସା, କରୋନାର ବିଲୋପ ମନାସୀ ମନ୍ଦିରରେ ଜିଭ ବଳି ଦେଲେ ଯୁବତୀ !
22/05/2020 at 5:13 PM

ଲକ୍ଷ୍ନୌ, ୨୨|୦୫: ଉତ୍ତରପ୍ରଦେଶର ଓ୍ୱାନ୍ଦା ଜିଲ୍ଲାରେ ଆସ୍ଥା ଓ ଅନ୍ଧବିଶ୍ୱାସ ସହ ଜଡିତ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଏଠାରେ ମାରାତ୍ମକ କରୋନା ଭାଇରସ କବଳରୁ ଗ୍ରାମକୁ ରକ୍ଷା କରିବା ପାଇଁ ଜଣେ ୧୬ବର୍ଷର ଯୁବତୀ ନିଜ ଜିଭ କାଟି ଶିବ ମନ୍ଦିରରେ ବଳି ଦେଇଛନ୍ତି ।
ସୂଚନାନୁସାରେ, ଏହି ଘଟଣା ଓ୍ୱାନ୍ଦା ଜିଲ୍ଲା ଅନ୍ତର୍ଗତ ବଦୌସା ଥାନା ନିକଟବର୍ତ୍ତୀ ଭଦାଓ୍ୱଲ ଗ୍ରାମରେ ଘଟିଛି । ଏଠାରେ ୧୬ ବର୍ଷର ଜଣେ ଯୁବତୀ ଗ୍ରାମରେ ଥିବା ଏକ ଶିବ ମନ୍ଦିରକୁ ଯାଇ ନିଜ ଜିଭ କାଟି ବଳି ଦେଇଛନ୍ତି । ଜୀଭ କାଟିବା ପରେ ଯୁବତୀଜଣଙ୍କ ମନ୍ଦିରରେ ବେହୋସ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଯୁବତୀଜଣଙ୍କ ନିଜେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଗ୍ରାମକୁ କରୋନା କବଳରୁ ରକ୍ଷା ପାଇବା ପାଇଁ ଶିବ ମନ୍ଦିରରେ ମାନସିକ କରିଥିଲେ । ସେ ଲଗାତାର ଗତ କିଛିଦିନ ଧରି କରୋନା ବାବଦରେ ଭୟଙ୍କର ଖବର ଶୁଣି ଆସୁଥିଲେ । ଏହି କଥା ତାଙ୍କ ମନରେ ଚାଲୁଥିଲା । ଏପରିକି ସେ ଗ୍ରାମକୁ କରୋନା କବଳରୁ ରକ୍ଷା କରିବା ପାଇଁ ମନସ୍ଥ କରିଥିଲେ ।
ଏହାପରେ ସେ ଏକ ବ୍ଲେଡ୍ ଆଣି ବାଗେ ନଦୀ କୂଳରେ ଥିବା ଶିବମନ୍ଦିରକୁ ଯାଇଥିଲେ । ଏହାପରେ ସେ ମନ୍ଦିରରେ ଜିଭ କାଟିଦେଇଥିଲେ । ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ଚକିତ ହୋଇଯାଇଛନ୍ତି ।

ଯୁବତୀଙ୍କ ପିତାମାତାଙ୍କ କହିବାନୁସାରେ, ସେ କରୋନା ମହାମାରୀ ପାଇଁ ଚିନ୍ତିତ ଥିଲେ । କିନ୍ତୁ ସେ ଏତେବଡ ପଦକ୍ଷେପ ନେବେ ବୋଲି କେହି ଭାବିନଥିଲେ । ଏହି ମାମଲାରେ ଜିଲ୍ଲାଧିକାରୀ ଅମିତ ସିଂ ବଂଶଲ କହିଛନ୍ତି ଯେ, ଯୁବତୀଜଣଙ୍କ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି । ତାଙ୍କୁ କେହି ଏଥିପାଇଁ ବାଧ୍ୟ କରିନାହାଁନ୍ତି ।