ନିର୍ବନ୍ଧର ୪ ଦିନ ପରେ ପ୍ରେମିକ ସହ ମିଶି କୀଟନାଶକ ଖାଇଲେ ପୋଷ୍ଟାଲ ଅଫିସର: ଯୁବତୀ ମୃତ, ପ୍ରେମିକଙ୍କ ଅବସ୍ଥା ଗମ୍ଭୀର

Published By : Prameya-News7 Bureau | April 30, 2019 IST

ଜଳନ୍ଧର ୩୦/୪ : ଜଳନ୍ଧର ବସ୍ତି ଶେଖ ସ୍ଥିତ ଡାକଘରେ ଆସିଷ୍ଟାଣ୍ଟ ପୋଷ୍ଟାଲ ଅଫିସର ଭାବେ ଚାକିରୀ କରୁଥିବା ଜଣେ ଯୁବତୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି | ଯୁବତୀଙ୍କର ୪ଦିନ ପୂର୍ବରୁ ନିର୍ବନ୍ଧ ହୋଇଥିଲା | ଜୀବଟି ନିଜ ପ୍ରେମିକ ସହ ମିଶି କୀଟନାଶକ ଔଷଧ ଖାଇଥିଲେ | ପ୍ରେମିକ ଲୁଧିଆନା ଡ଼ିଏମସି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି | ମୃତ ଯୁବତୀ ୩୧ ବର୍ଷ ବୟସ୍କା ରମନପ୍ରୀତ କୌର | ଗୁରୁତର ପ୍ରେମିକ ହେଲେ ଉମେଶ ସୁଦ | ଉମେଶଙ୍କ ଘର ହିମାଚଳ ପ୍ରଦେଶ ବିଳାସପୁରରେ | ସେ ଚଣ୍ଡୀଗଡ଼ର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ |


ଶନିବାର ଦିନ ରମନପ୍ରୀତ ଘଂଟାଏ ବିଳମ୍ବରେ ଅଫିସରେ ପହଂଚିଥିଲେ | ଦିନ ଅଢେଇଟାରେ ସହକର୍ମୀମକୁ ଦେହ ଅସୁସ୍ଥରେ ଥିବା କହି ଚାଲିଯାଇଥିଲେ | ରାତିରେ ରାମନପ୍ରୀତଙ୍କ ଘରଲୋକଙ୍କୁ ଡ଼ିଏମସି ହସ୍ପିଟାଲରୁ ଫୋନ ଯାଇଥିଲା | ହସ୍ପିଟାଲ କର୍ମଚାରୀ ଫୋନ କରି କହିଥିଲେ ଯେ, ରମନପ୍ରୀତ କୀଟନାଶକ ଖାଇଦେଇଛନ୍ତି | ଫୋନ କଲ ପାଇ ରମନପ୍ରୀତଙ୍କ ଘରଲୋକ ହସ୍ପିଟାଲରେ ପହଂଚିଥିଲେ | ହସ୍ପିଟାଲରେ ପହଂଚିବା ପରେ ତାଙ୍କ ଘରଲୋକ ଜାଣିବାକୁ ପାଇଲେ ଯେ, ତାଙ୍କ ଝିଅ ସହ ଜଣେ ଯୁବକ ମଧ୍ୟ ଅଛି | ଉଭୟ ମିଶି କୀଟନାଶକ ଖାଇଦେଇଛନ୍ତି | ଶନିବାର ସନ୍ଧ୍ୟା ୭ଟାରେ ରମନପ୍ରୀତଙ୍କ ମୃତ୍ୟୁ ହୋଇଯାଇଥିଲା | ପୋଲିସ ରମନପ୍ରୀତଙ୍କ ପିତାଙ୍କ ବୟାନ ରେକର୍ଡ କରିଥିଲା | ତାଙ୍କ ବୟାନ ଅନୁଯାୟୀ, ୪ ଦିନ ପୂର୍ବରୁ ରମନପ୍ରୀତଙ୍କ ନିର୍ବନ୍ଧ ହୋଇଥିଲା | ନିର୍ବନ୍ଧ ଭାଙ୍ଗି ଦେବାକୁ ଉମେଶ ତାଙ୍କୁ ବାଧ୍ୟ କରୁଥିଲା ବୋଲି ରମନପ୍ରୀତଙ୍କ ପିତା କହିଥିଲେ | ଯେଉଁଥିପାଇଁ ସେ ବହୁତ ଚିନ୍ତିତ ଥିଲା | ପୋଲିସ ଉମେଶ ବିରୋଧରେ ମାମଲା ରୁଜ୍ଜୁ କରିଛି |


ପୋଲିସ ସୂଚନା ଅନୁଯାୟୀ, ରମନପ୍ରୀତ ଏବଂ ଉମେଶଙ୍କର ସେହି ଡାକଘରେ ବହୁତ ପୂର୍ବରୁ ସାକ୍ଷାତ ହୋଇଥିଲା | ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ରାମନପ୍ରୀତଙ୍କ ଘରଲୋକ ଏ ସମ୍ପର୍କରେ ଜାଣିବାକୁ ପାଇଲେ | କିନ୍ତୁ ତାଙ୍କ ଘରଲୋକ ଉମେଶ ସହ ରାମନପ୍ରୀତଙ୍କ ବିବାହ ପାଇଁ ରାଜି ନଥିଲେ | ଫଳରେ ରମନପ୍ରୀତ ଘରଲୋକଙ୍କ କଥାରେ ରାଜି ହୋଇ ତାଙ୍କ ଇଛା ଅନୁସାରେ ନିର୍ବନ୍ଧ କରିଥିଲେ | ୪ ଦିନ ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଥିଲା | କିନ୍ତୁ ରମନପ୍ରୀତ ଏଥିରେ ଖୁସି ନଥିଲେ | ଶନିବାର ଦିନ ଉମେଶ ତାଙ୍କୁ ଫୋନ କରି ଡାକିଥିଲା ଏବଂ ଉଭୟ କୀଟନାଶକ ଖାଇଦେଇଥିଲେ |


ସୂଚନାଯୋଗ୍ୟ ଯେ, ଶନିବାର ଦିନ ପାଖାପାଖି ଅଢେଇଟାରେ ଉମେଶ ନିଜ ଭାଇର କାର ନେଇ ରମନପ୍ରୀତଙ୍କୁ ଦେଖା କରିବାକୁ ଆସିଥିଲା | ଉଭୟ କାରରେ ଫଗବାଡା ଆଡକୁ ଯାଇଥିଲେ | ଫଗବାଡା ପହଂଚିବା ପରେ ଉମେଶ କାରକୁ ଏକ ପୋଲ ତଳେ ପାର୍କିଙ୍ଗ କରିଥିଲା | ଏହାପରେ ଉଭୟ କଥାବାର୍ତ୍ତା ହୋଇଥିଲେ ଏବଂ କୀଟନାଶକ ଖାଇଦେଇଥିଲେ | ପ୍ରଥମେ ରାମନପ୍ରୀତ ଔଷଧ ଖାଇଥିଲେ | ଔଷଧ ଖାଇବାର କିଛି ସମୟ ମଧ୍ୟରେ ରାମନପ୍ରୀତଙ୍କୁ ବାନ୍ତି ଲାଗିଥିଲା | ଏହାପରେ ଉମେଶ ପାଟିରେ ଆଙ୍ଗୁଠି ଗେଂଜି ଔଷଧ ବାନ୍ତି କରିଦେଇଥିଲା | ରାମନପ୍ରୀତ ଛଟପଟ ହେଉଥିବା ଦେଖି ସେ ତାର ଆଉ ଜଣେ ସାଙ୍ଗକୁ ଫୋନ କରି ଡାକିଥିଲା | ଉମେଶର ସାଙ୍ଗ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ସନ୍ଧ୍ୟା ୭ଟାରେ ରମନପ୍ରୀତଙ୍କ ମୃତ୍ୟୁ ହୋଇଯାଇଥିଲା | କିନ୍ତୁ ଉମେଶର ଅବସ୍ଥା ଏବେ ମଧ୍ୟ ସଙ୍କଟାପର୍ଣ୍ଣ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.