ନୟାଗଡରୁ ପୁଣି ଶିଶୁ କନ୍ୟା ନିଖୋଜ, ଗାଁ ଦାଣ୍ଡରୁ ହଠାତ ହୋଇଗଲା ଉଭାନ

Published By : Prameya-News7 Bureau | December 12, 2020 IST

ନୟାଗଡ, ୧୨|୧୨: ପରୀ ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ପରୀକୁ କିଏ ହତ୍ୟା କଲା ତାହାର ତଦନ୍ତ ଚାଲିଛି । ତେବେ ପୁଣି ନୟାଗଡରୁ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଅପରାହ୍ନରେ ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ନୟାଗଡ ଯଦୁପୁର ଗ୍ରାମର ୫ ବର୍ଷର ଶିଶୁ କନ୍ୟା ନିଖୋଜ ହେବା ଓ ପରେ ତାହର ଗଳିତ ମୃତଦେହ ଠାବ ହେବା ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏବେବି ଏହି ପ୍ରସଙ୍ଗ ସରଗରମ  ରହିଛି  । ବିଭିନ୍ନ ରାଜନୈତିକ ଦଳ ଓ ନେତା ପରୀକୁ ନ୍ୟାୟ ଦାବି କରୁଛନ୍ତି । ତେବେ ପରୀର ଅଙ୍ଗପ୍ରତ୍ୟଙ୍ଗ ଚୋରି ପାଇଁ ଏପରି ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏହାମଧ୍ୟରେ ଜିଲ୍ଲାର ରଣପୁର ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି । ଜଣେ ୩ ବର୍ଷର ଶିଶୁ ଶୁକ୍ରବାର ଅପରାହ୍ନରୁ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଛି ।

ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା । ସନ୍ଧ୍ୟା ହେବା ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ । ହରପ୍ରିୟା ହଠାତ ଗାଁ ଦାଣ୍ଡରୁ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।ଏନେଇ ସଞ୍ଜୟ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ ହରପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.