ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ ୩ଯୁବକ: ମାମଲା ରୁଜ୍ଜୁ ନ କରିଥିବାରୁ ଏସଏଚଓ ନିଲମ୍ବିତ

Published By : Prameya-News7 Bureau | November 17, 2020 IST

ବୈଶାଳୀ ୧୭/୧୧ : ବିହାର ବୈଶାଳୀ ଜିଲ୍ଲାରେ ଜଣେ ଏସଏଚଓଙ୍କୁ ନିଲମ୍ବନ କରାଯାଇଛି। ଦାୟିତ୍ୱରେ ଅବହେଳା କରିବାରୁ ମଙ୍ଗଳବାର ଦିନ ତାଙ୍କୁ ନିଲମ୍ବନ କରାଯାଇଛି । କିଛି ଦିନ ପୂର୍ବରୁ ଚାନ୍ଦପୁର ପୋଲିସ ଆଉଟପୋଷ୍ଟ ଅନ୍ତର୍ଗତ ରସଲପୁର-ହବିବ ଗାଁରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ତିନି ଜଣ ଯୁବକ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ ଯୁବତୀଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ଯୁବତୀଙ୍କ ପରିବାର ଲୋକ ୩ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଘଟଣା ଅକ୍ଟୋବର ୩୦ ତାରିଖର ବୋଲି ପୋଲିସ କହିଛି। ସେତେବେଳେ ଯୁବତୀ ଘର ବାହାରେ କୁଟା ଜଳାଇବାକୁ ଯାଇଥିଲେ। ସେତେବେଳେ ୩ ଯୁବକ ଆସି ତାଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ ଯୁବତୀଙ୍କ ଉପରେ କିରୋସିନ ଢାଳି ତାଙ୍କୁ ନିଆଁ ଲଗାଇ ଜାଳି ଦେବା ପାଇଁ ଉଦ୍ୟମ କରିଥିଲେ। ନିଆଁରେ ଯୁବତୀଙ୍କ ଶରୀର ପାଖାପାଖି ୭୫ ପ୍ରତିଶତ ଜାଳି ଯାଇଥିଲା। ଯୁବତୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଯୁବତୀଙ୍କ ମୃତ୍ୟୁ ପରେ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି।

ମୃତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ସେମାନେ ଏସଏଚଓଙ୍କ ପାଖରେ ଅଭିଯୋଗ କରିଥିଲେ କିନ୍ତୁ ସେ ଠିକ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯଉଁଥିପାଇଁ ଏହିଭଳି ଘଟଣା ଘଟିଛି। ପୋଲିସ ଠିକ ସମୟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଯୁବତୀଙ୍କ ଜୀବନ ଯାଇନଥାନ୍ତା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣା ପରେ ବୈଶାଳୀ ଏସପି ଏସଏଚଓଙ୍କ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.