ସୁଟକେଶରୁ ମିଳିଲା ଯୁବତୀଙ୍କ ମୃତଦେହ : ଦୁଇ ପ୍ରେମିକ ସହ ଆଉ ୨ ସହଯୋଗୀ ଗିରଫ

Published By : Prameya-News7 Bureau | June 24, 2019 IST

ଫରିଦାବାଦ ୨୪/୬ : ଫରିଦାବାଦ ସୁରଜକୁଣ୍ଡ ସ୍ଥିତ ଡେଥ ଭେଲିରୁ ଏକ ସୁଟକେଶରୁ ଯୁବତୀଙ୍କ ମୃତଦେହ ଜବତ ହୋଇଛି । ମାମଲାରେ ପୋଲିସ ମୃତକଙ୍କ ପ୍ରେମିକ ସମେତ ୪ ଜଣଙ୍କୁ ଗିରଫ କରିଛି । ପ୍ରେମିକ ଯୁବକ ନିଜ ବାହାଘର ଭାଙ୍ଗି ଯାଇଥିବାରୁ ପ୍ରେମିକା ଉପରେ ରାଗିଯାଇ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଫରିଦାବାଦ ପୋଲିସ ହତ୍ୟା ଘଟଣାର ଖୁଲାସା କରିଛି । ପୋଲିସ କହିବାନୁଯାୟୀ, ଯୁବତୀଙ୍କ ପ୍ରେମିକ ଏବଂ ପୂର୍ବତନ ପ୍ରେମିକ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି । ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ସୁଟକେଶରେ ବନ୍ଦ କରି ଡେଥ ଭେଲିରେ ଫୋପାଡ଼ି ଦେଇଥିଲେ । ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ପେଶ କରିବା ପରେ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ।

ଟଙ୍କା ପଇସା ମାମଲାକୁ ନେଇ ପ୍ରଥମ ପ୍ରେମିକ ସହ ଯୁବତୀଙ୍କର ଝଗଡା ହୋଇଥିଲା । ଏହାପରେ ଯୁବତୀ ଦ୍ୱିତୀୟ ପ୍ରେମିକ ସହ ସମ୍ପର୍କରେ ଥିଲେ । ଏତିକିବେଳେ ଯୁବତୀଙ୍କ ପ୍ରେମିକର ବାହାଘର ଅନ୍ୟ ଜାଗାରେ ଠିକ ହୋଇଯାଇଥିଲା । ଯୁବତୀ ଏ ସମ୍ପର୍କରେ ଜାଣିବା ପରେ ସେ ନିଜ ପ୍ରେମିକର ବାହାଘରକୁ ବିରୋଧ କରିଥିଲେ । ଯେଉଁ ଝିଅ ସହ ତାଙ୍କ ପ୍ରେମିକର ବାହାଘର ଠିକ ହୋଇଥିଲା ତାଙ୍କ ଘରଲୋକଙ୍କୁ ଫୋନ କରି ତାଙ୍କ ପ୍ରେମ ସମ୍ପର୍କରେ ସବୁ କଥା କହିଥିଲେ । ଯାହାଫଳରେ ଯୁବକର ବାହାଘର ଭାଙ୍ଗି ଯାଇଥିଲା । 

{"id":126408}

ଅପରପକ୍ଷରେ ଯୁବତୀଙ୍କ ପ୍ରଥମ ପ୍ରେମିକ ଟଙ୍କା ପଇସା କାରବାରକୁ ନେଇ ଯୁବତୀଙ୍କ ଉପରେ ରାଗିଥିଲା । ଦ୍ୱିତୀୟ ପ୍ରେମିକର ବାହାଘର ଭାଙ୍ଗିଯିବା ପରେ ଉଭୟ ଯୁବକ ମିଶି ଯୁବତୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କଲେ । ଏଥିରେ ଦୁଇ ଯୁବକ ତାଙ୍କର ଆଉ ଦୁଇଜଣ ସାଙ୍ଗଙ୍କୁ ସାମିଲ କଲେ । ଯୋଜନା ଅନୁଯାୟୀ ଏମାନେ ଯୁବତୀଙ୍କ ଘରକୁ ଯାଇଥିଲେ । ସେତିକିବେଳେ ଯୁବତୀ ଏକ ଥିଲେ । ଯୁବକମାନେ ମିଶି ଯୁବତୀଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ । ତାପରେ ଫରିଦାବାଦ ବଜାରରୁ ଏକ ସୁଟକେଶ କିଣିଥିଲେ । ମୃତଦେହକୁ ସେହି ସୁଟକେଶରେ ଭର୍ତ୍ତି କରି ସୁରଜକୁଣ୍ଡ ସ୍ଥିତ ଡେଥ ଭେଲିରେ ଫୋପାଡ଼ି ଦେଇଥିଲେ । ମୃତଦେହକୁ ଫୋପାଡିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । 

ଡେଥ ଭେଲିରେ ଏକ ସୁଟକେଶ ଭାସୁଥିବାର ଦେଖି ପୋଲିସ ସନ୍ଦେହ କରିଥିଲା ଏବଂ ସୁଟକେଶ ଜବତ କରିଥିଲା । ସୁଟକେଶ ଖୋଲି ଦେଖିଲାପରେ ସେଥିରେ ଯୁବତୀଙ୍କ ମୃତଦେହ ଥିଲା । ଯୁବତୀଙ୍କ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଯୁବତୀଙ୍କ ହାତରେ ଲେଖାଯାଇଥିବା ନାଁ ଦେଖି ପୋଲିସ ତାଙ୍କ ଘରଲୋକଙ୍କୁ ଠିକଣା ପାଇଥିଲା । ଘରଲୋକଙ୍କ ଠିକଣା ପାଇବା ପରେ ପୁରା ଘଟଣାର ଖୁଲାସା ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ଖୋଜିଥିଲା ପୋଲିସ । ଖୋଜାଖୋଜି କରି ପୋଲିସ ୪ ଜଣଙ୍କ ପତା ଲଗାଇଥିଲା ଏବଂ ୪ ଜଣଙ୍କୁ ଗିରଫ କରିଥିଲା । ଦୁଇ ପ୍ରେମିକ ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.