ବନ୍ଦ ବାକ୍ସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

Published By : Prameya-News7 Bureau | December 05, 2021 IST

ମେରଠ ୦୫/୧୨ :  ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ରବିବାର ସକାଳୁ ଖରଖୌଦା ଜଙ୍ଗଲରୁ ଏକ ବନ୍ଦ ବାକ୍ସରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଯୁବତୀଙ୍କ ହାତ ଗୋଡ ବନ୍ଧା ହୋଇଥିଲା ଓ ବେକରେ କ୍ଷତ ଚିହ୍ନ ଥିଲା। ଯୁବତୀଙ୍କୁ ହତ୍ୟା କରି ଶବ ବାକ୍ସରେ ବନ୍ଦ କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଗ୍ରାମ ମୁଖିଆଙ୍କ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଯୁବତୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି।

ସୂଚନା ଅନୁଯାୟୀ, ଅତରଡା ଜଙ୍ଗଲରେ କାଳି ନଦୀ କୂଳରେ ଏକ ବାକ୍ସରେ ଯୁବତୀଙ୍କ ମୃତଦେହ ବନ୍ଦ ଥିବା ସୂଚନ ପାଇ ଆଖପାଖ ଅଞ୍ଚଳର ଲୋକେ ଏକତ୍ରିତ ହୋଇଥିଲେ। ସୂଚନା ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଗ୍ରାମବାସୀଙ୍କୁ ସେଠାରୁ ହଟାଇ ଶବ ଜବତ କରିଥିଲା। ଘଟଣାସ୍ଥଳରେ ଡଗ ସ୍କ୍ୱାର୍ଡ ଓ ଫରେନସିକ ଟିମ ସହ ଏସପି ମଧ୍ୟ ପହଞ୍ଚିଛନ୍ତି।

ପୋଲିସ ଅନୁଯାୟୀ, ଶବ ଦିନେ-ଦୁଇଦିନ ପୁରୁଣା। ତେବେ ଯୁବତୀଙ୍କ ପରିଚୟ ମିଳିନାହିଁ। ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ହତ୍ୟା ମାମଲା ସ୍ପଷ୍ଟ ହେବ। ଯାଞ୍ଚ ସହ ଶୀଘ୍ର ମାମଲାର ଖୁଲାସା କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.