ପ୍ରେମର କରୁଣ ପରିଣତି : ଯୁବତୀଙ୍କୁ ଘୋଷାଡ଼ି ଆଣି ରାସ୍ତା ଉପରେ ମାଡ ମାରୁଛନ୍ତି ଘରଲୋକ, ଭିଡିଓ ଭାଇରାଲ
30/06/2019 at 11:50 AM

ଧାର ୩୦/୬ : ଯୁବକ ଯୁବତୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ଏବଂ ଏହି କଥା ପ୍ରଘଟ ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି । ଘଟଣା ଜାଣିବା ପରେ ଅନେକଙ୍କ ଘର ଲୋକ ଯୁବକ ଯୁବତୀଙ୍କ ଉପରେ ନାନା ପ୍ରତିବନ୍ଧକ ଲଗାଇଥାନ୍ତି । ଏପରିକି ଯୁବତୀଙ୍କ ଘରଲୋକ ତାଙ୍କ ଘରୁ ବାହାରିବାକୁ ମଧ୍ୟ ଦେଇନଥାନ୍ତି । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ ।

ମଧ୍ୟ ପ୍ରଦେଶ ଧାର ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣେ ଯୁବକକୁ ପ୍ରେମ କରୁଥିବା ଜାଣି ତାଙ୍କ ଘରଲୋକ ତାଙ୍କୁ ପଶୁ ଭଳି ବାଡ଼ିରେ ମାଡ ମାରିଛନ୍ତି । ଘଟଣାର ଭିଡିଓ ଭାଇରାଲ ହୋଇଛି । ଏହିଭଳି ଏକ ଘଟଣା ଦୁର୍ଭାଗ୍ୟଜନକ । ଜଣେ ଆଦିବାସୀ ଯୁବତୀ ଜଣେ ଦଳିତ ଯୁବକକୁ ପ୍ରେମ କରୁଥିବା ତାଙ୍କ ଘରଲୋକ ଜାଣିବା ପରେ ଯୁବତୀଙ୍କୁ ମାଡ ମାରିଛନ୍ତି । ମାଡ ମାରୁଥିବା ଭିଡିଓ ଭାଇରାଲ ହେବାପରେ ପୋଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।

ଘଟଣା ଧାର ଜିଲ୍ଲା ବାଗ ଥାନା ଅନ୍ତର୍ଗତ ଥାନେ ଗାଁର । ଭିଡିଓରେ ଯୁବତୀଙ୍କ ଘରଲୋକ ତାଙ୍କୁ ବାଡ଼ିରେ ମାଡ ମାରୁଛନ୍ତି ଏବଂ କିଛି ଯୁବକ ଗୋଇଠା ମାରୁଛନ୍ତି । ସୂଚନାଯୋଗ୍ୟ ଯେ, ଯୁବତୀ ଜଣକ ସେହି ଦଳିତ ଯୁବକଙ୍କ ସହିତ ଘରୁ ପଳାଇ ଯାଇଥିଲେ । ଯେଉଁଥିପାଇଁ ଯୁବତୀଙ୍କ ଘରଲୋକ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ ମାରିଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯୁବତୀ ମାଡ ଖାଉଥିବା ଦେଖି କେହି ମଧ୍ୟ ତାଙ୍କୁ ରକ୍ଷା କରିବାକୁ ଆସିନଥିଲେ । ଯୁବତୀଙ୍କ ତଳେ ପକାଇ ତାଙ୍କ ଘରଲୋକ ତାଙ୍କୁ ମାଡ ମାରୁଛନ୍ତି । ଏହି ଭିଡିଓ ୩ ଦିନ ହେଲା ଭାଇରାଲ ହେବାରେ ଲାଗିଛି । ଘଟଣାସ୍ଥଳରେ ଥିବା ଗାଡି ନମ୍ବର ଯାଞ୍ଚ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ଭିଡିଓ ଆଧାରରେ ପୋଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ ମଧ୍ୟ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।