ଘରେ ପଶି ଜୋର ଜବରଦସ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ : ବିଫଳ ହେବାରୁ ଯୁବତୀଙ୍କ ମୁଣ୍ଡରେ ଏସିଡ ଢ଼ାଲିଦେଇ ଫେରାର ହୋଇଗଲେ ଦୁର୍ବୁତ୍ତ

Published By : Prameya-News7 Bureau | April 20, 2019 IST

ଭାଗଲପୁର ୨୦/୪ : ଭାଗଲପୁର ଅନ୍ତର୍ଗତ ଅଲିଗଞ୍ଜ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଦୁର୍ବୁର୍ତ୍ତ ଜଣେ ବ୍ୟବସାୟୀଙ୍କ ଘରେ ପଶିଥିଲେ | ଦୁର୍ବୁର୍ତ୍ତମାନେ ବ୍ୟବସାୟୀଙ୍କ ଝିଅଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ | ଯୁବତୀ ଜଣକ ପାଟି କରିବାରୁ ତାଙ୍କ ମା' ଦୌଡ଼ି ଆସିଥିଲେ | କିନ୍ତୁ ଯୁବତୀଙ୍କ ମା'ଙ୍କୁ ଛୁରୀ ଦେଖାଇ କାବୁ କରିପକେଇଥିଲେ ଦୁର୍ବୁର୍ତ୍ତ | ଏହାପରେ ଜୋର ଜବରଦସ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ | ଯୁବତୀ ବହୁତ ଜୋରରେ ପାଟି କରିଥିଲେ | ଯୁବତୀଙ୍କ ପାଟି ଶୁଣି ପାଖ ପଡୋଶୀ ଚାଲି ଆସିଥିଲେ | ପଡୋଶୀ ଆସିବା ପୂର୍ବରୁ ଦୁର୍ବୁର୍ତ୍ତମାନଙ୍କ ଇଛା ପୂରଣ ହୋଇପାରିନଥିଲା ଏବଂ ନିଜ କାମରେ ବିଫଳ ହୋଇଥିବା ଯୋଗୁଁ ଦୁର୍ବୁର୍ତ୍ତମାନେ ଯୁବତୀଙ୍କ ମୁଣ୍ଡରେ ଏସିଡ ଢାଳି ଦେଇଥିଲେ | ପଡୋଶୀ ପହଂଚିବା ପୂର୍ବରୁ ଦୁର୍ବୁର୍ତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ | ଯୁବତୀଙ୍କ ବଞ୍ଚାଇବା ବେଳେ ତାଙ୍କ ମା'ଙ୍କ ହାତ ମଧ୍ୟ ପୋଡି ଯାଇଥିଲା |


ଘଟଣା ଅଲିଗଞ୍ଜ ଗଙ୍ଗାବିହାର କଲୋନୀର | ଯୁବତୀଙ୍କୁ ପରିବାରଲୋକେ ଜବାହାରଲାଲ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି | ଯୁବତୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ ଡାକ୍ତର ତାଙ୍କୁ ସହର ବାହାରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ | ଯୁବତୀଙ୍କୁ ରାତାରାତି ବନାରସ ନିଆଯାଇଥିଲା |

{"id":105277}


ଡାକ୍ତରଙ୍କ କହିବାନୁଯାୟୀ, ଯୁବତୀଙ୍କ ଶରୀର ୪୦ ପ୍ରତିଶତ ପୋଡି ଯାଇଛି | ମୁହଁ ଗଭୀର ଭାବେ ପୋଡି ଯାଇଛି | ଘଟଣା ସମ୍ପର୍କରେ ସୂଚନା ପାଇ ଏସପି ଏସକେ ସରୋଜ, ଡ଼ିଏସପି ରାଜବଂଶ ସିଂହ ଘଟଣାସ୍ଥଳରେ ପହଂଚି ଦୁର୍ବୁର୍ତ୍ତଙ୍କ ପତା ଲଗାଇବାକୁ ଚେଷ୍ଟା ଚଳାଇଛନ୍ତି | ପୋଲିସ ଘଟଣା ସଂପର୍କରେ ଯୁବତୀଙ୍କ ପରିବାରଲୋକଙ୍କୁ ପଚରାଉଚୁରା କରୁଛି | ପରିବାରଲୋକଙ୍କ କହିବାନୁଯାୟୀ, ଦୁର୍ବୁର୍ତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ | ସେମାନେ ପଡୋଶୀଙ୍କ ଛାତ ଉପର ଦେଇ ରାତି ପ୍ରାୟ ୮ଟା ବେଳେ ଘର ଭିତରକୁ ପ୍ରବେଶ କରିଥିଲେ | ଘରର ମୁଖ୍ୟଦ୍ଵାର ସେତେବେଳେ ବନ୍ଦ ଥିଲା | କିନ୍ତୁ ଯେତେବେଳେ ପଡୋଶୀଙ୍କ ପାଟି ଶୁଣି ଦୁର୍ବୁର୍ତ୍ତ ଫେରାର ହୋଇଥିଲେ ସେମାନେ ଘରର ମୁଖ୍ୟଦ୍ଵାର ଦେଇ ଯାଇଥିଲେ |


ଯୁବତୀଙ୍କ ମା'ଙ୍କ ବୟାନ ରେକର୍ଡ କରିଛି ପୋଲିସ | ଯୁବତୀଙ୍କ ମା କହିଛନ୍ତି ଯେ, ଦୁର୍ବୁର୍ତ୍ତମାନେ ଏସିଡ ବୋତଲ ସାଙ୍ଗରେ ନେଇ ଆସିଥିଲେ | ସେମାନେ ଯେତେବେଳେ ଯୁବତୀଙ୍କ ମୁଣ୍ଡରେ ଏସିଡ ଢାଳିଥିଲେ ସେ କଷ୍ଟରେ ଚିଲ୍ଲାଇଥିଲେ ଏବଂ ଦୌଡ଼ି ଯାଇ ନିଜ ବିଛଣାରେ ପଡିଯାଇଥିଲେ |


ଯୁବତୀ ସନ୍ଧ୍ୟାରେ ଟିଉସନ ପଢିବାକୁ ଯାଇଥିଲେ | ସନ୍ଧ୍ୟାରେ ଘରକୁ ଫେରି ସେ ଛାତ ଉପରେ ବୁଲୁଥିଲେ | ଛାତ ଉପରେ ବୁଲୁଥିବାବେଳେ ୪ଜଣ ଯୁବକ ପାଖ ଏକ ଗଳିରେ ସିଗାରେଟ ପିଉଥିବା ସେ ଦେଖିଥିଲେ | ସେମାନଙ୍କୁ ଦେଖି ଯୁବତୀ ଘର ଭିତରକୁ ପଳେଇ ଆସିଥିଲେ | କିନ୍ତୁ ସେ ଗୋଟିଏ ଭୁଲ କରିଦେଇଥିଲେ | ସେ ଛାତ ଉପର କବାଟ ବନ୍ଦ କରିନଥିଲେ | ସେ କେବେ ଭାବିନଥିଲେ ସେପଟୁ ଦୁର୍ବୁର୍ତ୍ତମାନେ ଆସି ତାଙ୍କର ଏହିଭଳି ଅବସ୍ଥା କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.