ହସ୍ପିଟାଲରେ ଯୁବତୀଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଭିଡିଓ ଭାଇରାଲ୍ କରି ଭାଇ ମାଗିଲେ ସାହାଯ୍ୟ

Published By : Prameya-News7 Bureau | June 03, 2021 IST

ପ୍ରୟାଗରାଜ ୩।୬: ହସ୍ପିଟାଲରେ ଭର୍ତ୍ତି ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ପ୍ରୟାଗରାଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ମିର୍ଜାପୁରର ଜଣେ ଯୁବତୀ ଏକ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଅପରେସନ୍ ସମୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ମିସି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗର ଯାଞ୍ଚ ପାଇଁ ଦୁଇଟି କମିଟି ଗଠନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ମିର୍ଜାପୁରର ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ । ଅନ୍ତନଳୀରେ ସମସ୍ୟା ହେତୁ ସେ ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ମେ’ ୨୯ରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଜୁନ୍ ୧ ତାରିଖ ରାତିରେ ଡାକ୍ତର ତାଙ୍କୁ ଅପରେସନ୍ କରିବା ପାଇଁ ଓଟିକୁ ନେଇଥିଲେ । ଅପରେସନ୍ ପରେ ଯୁବତୀ ଜଣଙ୍କ ଅଚେତ ଅବସ୍ଥାରେ ଥିବା ଭଳି ଲାଗୁଥିଲେ ଏବଂ ସେ କିଛି କହିବାକୁ ଚେଷ୍ଟା କରୁଥିଲା । ଯୁବତୀଙ୍କୁ ଯେତେବେଳେ କାଗଜ ଏବଂ କଲମ ଦିଆଯାଇଥିଲା ସେ ଥରା ହାତରେ ଲେଖିଥିଲେ ଯେ, ଡାକ୍ତର ଭଲ ନୁହଁନ୍ତି, ସମସ୍ତ ମିଶିଛନ୍ତି, କୌଣସି ଚିକିତ୍ସା କରାଯାଇ ନାହିଁ ଏବଂ ତାଙ୍କ ସହ ଖରାପ କାମ କରାଯାଇଛି । ଯୁବତୀ ଜଣଙ୍କ ଲେଖିବା ବେଳେ ବି ତାଙ୍କ ସମ୍ପର୍କୀୟ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ ମଧ୍ୟ କରିଛନ୍ତି ।

ଏହି ମାମଲାରେ ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଦୁଇଟି ଯାଞ୍ଚ କମିଟି ମଧ୍ୟ ଗଠନ କରାଯାଇଛି । ଯାଞ୍ଚ କମିଟିରେ ଥିବା ଡାକ୍ତରଙ୍କ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି ।

ପୋଲିସ କିନ୍ତୁ ଏହି ମାମଲାରେ ଭିନ୍ନ କଥା କହିଛି । ପୋଲିସର ସୂଚନା ଅନୁସାରେ ଯୁବତୀଙ୍କୁ ଶୋଷ ଲାଗିଥିଲା, ଡାକ୍ତର ତାଙ୍କୁ ପାଣି ଦେବାକୁ ମନା କରିଦେଇଥିଲେ । ଫଳରେ ସେ ଚିନ୍ତିତ ଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ବୋଧହୁଏ ଏହି ମାନସିକ ସମସ୍ୟା ହେତୁ ସେ ଏପରି ଲେଖିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.