ବରିଷ୍ଠ ସାହିତ୍ୟକାର ତଥା ଅଭିନେତା ଗିରିଶ କର୍ନାଡଙ୍କ ପରଲୋକ
10/06/2019 at 10:05 AM

ବାଙ୍ଗାଲୁରୁ ୧୦/୬ : ଜଣାଶୁଣା କନ୍ନଡ଼ ସାହିତ୍ୟକାର, ରଙ୍ଗମଞ୍ଚ ଅଭିନେତା, ଅଭିନେତା, ନିର୍ଦେଶକ ତଥା ସାହିତ୍ୟକାର ଗିରିଶ କର୍ନାଡଙ୍କ ପରଲୋକ ହୋଇଛି । ୮୧ ବର୍ଷ ବୟସରେ ଗିରିଶ କର୍ନାଡଙ୍କ ପରଲୋକ ହୋଇଛି । ଆଜି ଭୋରରୁ ବାଙ୍ଗାଲୁରୁରେ ଗିରିଶଙ୍କ ମୃତ୍ୟୁ ହୋଇଛି । ମଲ୍ଟିପଲ ଅର୍ଗାନ ଫେଲ ଯୋଗୁଁ ଗିରିଶଙ୍କ ମୃତ୍ୟୁ ହୋଇଛି । ଅନେକ ଦିନ ହେଲା ଗିରିଶ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗିରିଶଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଗିରିଶ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଥିଲେ । ୧୯୬୦ ମସିହାରୁ ସେ ନାଟକ ରଚନା ଆରମ୍ଭ କରିଥିଲେ । ନାଟକ ରଚନା କରି ସେ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ପାଖାପାଖି ପାଞ୍ଚ ଦଶକ ପର୍ଯ୍ୟନ୍ତ ଗିରିଶ ନାଟକରେ ସକ୍ରିୟ ଥିଲେ । ଗିରିଶ ଅନେକ ପ୍ରତିଷ୍ଠିତ ଇଂରାଜୀ ନାଟକ ମଧ୍ୟ ଅନୁବାଦ କରିଛନ୍ତି । ଅନେକ ଭାରତୀୟ ଭାଷାରେ ମଧ୍ୟ ସେ ନାଟକ ରଚନା କରିଛନ୍ତି । ଗିରିଶ କର୍ନାଡ ହିନ୍ଦୀ ଏବଂ କନ୍ନଡ଼ ସିନେମାରେ ଅଭିନେତା, ନିର୍ଦେଶକ ଏବଂ ସ୍କ୍ରିନ ରାଇଟର ଭାବେ କାମ କରିଛନ୍ତି । ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗିରିଶଙ୍କୁ ୪ଟି ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଛି ।

ଗିରିଶ କର୍ନାଡଙ୍କୁ ୧୯୭୮ ମସିହାରେ ଫିଲ୍ମ ଭୂମିକା ପାଇଁ ରାଷ୍ଟ୍ରୀୟ ପୁରସ୍କାର ବା ନ୍ୟାସନାଲ ଆୱାର୍ଡ ମିଳିଥିଲା । ୧୯୯୮ ମସିହାରେ ତାଙ୍କୁ ପ୍ରତିଷ୍ଠିତ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବଲିଉଡରେ ଗିରିଶଙ୍କ ପ୍ରଥମ ଫିଲ୍ମ ଯଦି କା ଶଙ୍ଖ ୧୯୭୪ ମସିହାରେ ରିଲିଜ ହୋଇଥିଲା । ସଲମାନ ଖାନଙ୍କ ଫିଲ୍ମ ଏକ ଥା ଟାଇଗର ଓ ଟାଇଗର ଜିନ୍ଦା ହେ ଭଳି ଫିଲ୍ମରେ ଗିରିଶ ବରିଷ୍ଠ ଅଭିନେତା ଭାବେ ଅଭିନୟ କରିଥିଲେ ।
