କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ବିବାଦୀୟ ବୟାନ-'ଅଧିକାରୀ ଜନତାଙ୍କ କଥା ନ ଶୁଣିଲେ, ବେତରେ ମାରନ୍ତୁ'

Published By : Prameya-News7 Bureau | March 07, 2021 IST

ବେଗୁସରାଇ ୦୭/୦୩ : କେନ୍ଦ୍ରମନ୍ତ୍ରୀ ତଥା ବେଗୁସରାଇ ସାଂସଦ ଗିରିରାଜ ସିଂହ ନିଜ ଲୋକସଭା ଅଞ୍ଚଳରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଅଞ୍ଚଳବାସୀଙ୍କୁ କହିଛନ୍ତି ଯେ ଯଦି କୌଣସି ଅଧିକାରୀ ଆପଣଙ୍କ କଥା ଶୁଣୁନାହାନ୍ତି ତାହେଲେ ତାଙ୍କୁ ବେତରେ ବାଡ଼ାନ୍ତୁ। ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ବେଗୁସରାଇ ଖୋଦବାଂପୁର ସ୍ଥିତ କୃଷି ପ୍ରତିଷ୍ଠାନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ।

ମତ୍ସ୍ୟ ବିଭାଗ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଖକୁ ଅଧିକାଂଶ ସମୟରେ ଅଭିଯୋଗ ଆସୁଛି ଯେ ଅଧିକାରୀ ଜନତାଙ୍କ ଅଭିଯୋଗ ପ୍ରତି ଗୁରୁତ୍ତ୍ଵ ଦେଉନାହାନ୍ତି। ଗିରିରାଜ କହିଛନ୍ତି ଯେ ଏତେ ଛୋଟ କଥା ପାଇଁ ସେମାନେ ତାଙ୍କ ପାଖକୁ କାହିଁକି ଆସୁଛନ୍ତି। ସାଂସଦ, ବିଧାୟକ, ଗାଁ ମୁଖିଆ, ଜିଲ୍ଲା ଅଧିକାରୀ, ଏସଡ଼ିଏମ, ବିଡ଼ିଓ...ଏ ସମସ୍ତଙ୍କ କାମ ହେଲା ଜନତାଙ୍କ ସେବା କରିବା। ଯଦି ସେମାନେ ଜନତାଙ୍କ କଥା ଶୁଣୁନାହାନ୍ତି ତାହେଲେ ବେତ ଉଠେଇ ତାଙ୍କୁ ବାଡ଼ାନ୍ତୁ। ତାପରେ ଯଦି କାମ ହେଉନି ତାହେଲେ ଗିରିରାଜ ଆପଣମାନଙ୍କ ସହ ଅଛନ୍ତି ବୋଲି ସେ କହିଥିଲେ।

ଗିରିରାଜ ସିଂହଙ୍କ ଏହି ବୟାନକୁ ନେଇ ଆରଜେଡି ନୀତିଶ କୁମାରଙ୍କୁ ହମଲା କରିଛି। ଆରଜେଡି କହିଛି ଯେ ଏ ସରକାର ଚଲାଉଛନ୍ତି ଯେ ମହାଜଙ୍ଗଲରାଜ ଚଲାଉଛନ୍ତି। ଆରଜେଡି ନିଜ ଟ୍ୱିଟରେ ଲେଖିଛି, ଗୋଟେ ପଟେ ନୀତିଶ କୁମାର ଯୁବଙ୍କୁ କହୁଛନ୍ତି ଯେ ସରକାର କିମ୍ବା ଅଧିକାରୀଙ୍କୁ ବିରୋଧ କରିବା, ଧାରଣାରେ ବସିବା କିମ୍ବା ସୋସିଆଲ ମିଡ଼ିଆରେ ସେମାନଙ୍କ ବିରୋଧରେ ଲେଖିଲେ ଜେଲ ପଠାଇ ଦେବେ, ଚାକିରୀ ଦେବେ ନାହିଁ। ଅପରପକ୍ଷରେ ଗିରିରାଜ ସିଂହ କହୁଛନ୍ତି ଅଧିକାରୀଙ୍କୁ ବେତରେ ବାଡ଼ନ୍ତୁ। ଏମାନେ ସରକାର ଚଲାଉଛନ୍ତି ନା #ମହାଜଙ୍ଗଲରାଜ ଚାଲିଛି ?

ଘଟଣା ଏହି ପ୍ରକାର-ବେଗୁସରାଇରେ ଏକ ସଭା ସମୟରେ ଜଣେ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ପାଖରେ ସିଓଙ୍କ ସମ୍ପର୍କରେ ଅଭିଯୋଗ କରିଥିଲେ। ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ମନ୍ତ୍ରୀ କହିଥିଲେ ଯେ ଅଧିକାରୀ ଜନତାଙ୍କ କଥା ନ ଶୁଣିଲେ ସିଧା ବେତ ଉଠେଇ ସେମାନଙ୍କୁ ମାରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.