ଭଦ୍ରକ ୨୦।୦୪: ନ୍ୟାୟ ପାଇଁ ଗୁହାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ଆଗରେ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ । ଶେଷରେ ନ୍ୟାୟ ପାଇଁ ଭଦ୍ରକ ଏସ୍ପିଙ୍କ ନିକଟରେ ଗୁହାରୀ ଜଣାଇଲେ ମୃତକଙ୍କ ପରିବାରଲୋକେ ।
ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ ସଂଜିବ ବେହେରାଙ୍କ ପରିବାର ସାହିର ଲକ୍ଷ୍ମୀଧର ବେହେରା, ସୁଧୀର ବେହେରାଙ୍କ ଓ ରାଜକିଶୋର ବେହେରାଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଥିଲା । ପୂର୍ବରୁ ମାର୍ପିଟ୍ ହୋଇଥିଲା, ଯାହାର ସମାଧାନ ଥାନାରେ ହୋଇଥିଲା । କିନ୍ତୁ ଗତ ମାର୍ଚ୍ଚ ୧୭ ତାରିଖ ଦିନ ଜୟନ୍ତଙ୍କ ପରିବାର ଲୋକ ମାନେ ସଙ୍ଘ ଦ୍ଧ ଭାବେ ଆସି ସଂଜିବ ବେହେରାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏପରିକି ସଂଜିବଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ ।
ଏଥିରେ ପ୍ରତିବାଦ କରିବାରୁ ତାଙ୍କ ମାଆ ଓ ଭାଉଜଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଥିଲେ । ଗୁରୁତର ୩ଜଣଙ୍କୁ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସଂଜିବଙ୍କୁ ମୃତ ଘୋଷଣା କରିଥିଲା । ଏହି ଘଟଣାରେ ପୋଲିସ ଜଣେ ଆସାମୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିଲେ । ୭ ଦିନ ମଧ୍ୟରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଥିଲା । ଘଟଣାରେ ମାସେ ବିତିଯାଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ପାଲଟା ସେମାନଙ୍କୁ ହତ୍ୟା ଧମକ ଆସିଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନେ ନ୍ୟାୟ ଓ ସୁରକ୍ଷା ପାଇଁ ଏସପିଙ୍କୁ ଭେଟିଛନ୍ତି । ଯଦି କିଛି ନ୍ୟାୟ ନ ମିଳେ ତେବେ ସମୂହ ଆତ୍ମହୁତି ଦେବେ ବୋଲି କହିଛନ୍ତି ।